ଭୁବନେଶ୍ବର: ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ-5ରେ ଚମକିଲେ ଓଡିଆ ଆଥଲେଟ ତଥା ଜାଭେଲିନ ଫିଙ୍ଗାଳୀ କିଶୋର ଜେନା । ହାଙ୍ଗଝୌ ଏସୀୟ କ୍ରୀଡା ପୂର୍ବରୁ ଭାରତୀୟ ଆଥଲେଟଙ୍କ ପ୍ରାକ ପ୍ରସ୍ତୁତି ନେଇ ଚଣ୍ଡିଗଡରେ ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ-5 ଅନୁଷ୍ଠିତ ହୋଇଛି । ଏଥିରେ ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟରେ ବିଜେତା ହୋଇଛନ୍ତି କିଶୋର କୁମାର । 82.53ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କିଶୋର ।
କିଶୋର ତାଙ୍କ ପ୍ରଥମ ପ୍ରୟାସରେ 82.53 ମିଟର ଜାଭେଲିନ ଫିଙ୍ଗିଥିଲେ । ଦ୍ବିତୀୟ ଓ ତୃତୀୟ ରାଉଣ୍ଡରେ ଯଥାକ୍ରମେ 80.74 ମିଟର, 81.56 ମିଟର ଜାଭେଲିନ ଫିଙ୍ଗିଥିଲେ । ତାଙ୍କୁ ଆଉ କୌଣସି ଆଥଲେଟ ଅତିକ୍ରମ କରି ପାରିନଥିଲେ । ଏହି ସଫଳତା ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି କିଶୋର ଜେନା । ଏହି ଇଭେଣ୍ଟରେ ଦ୍ବିତୀୟ ସ୍ଥାନରେ ଉତ୍ତରପ୍ରଦେଶର ବିକାଶ ଯାଦବ ରହିଥିଲେ । ସେ 72.88ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି । ସେହିପରି ରାଜସ୍ଥାନର ହରିଶ କୁମାର 71.78ମିଟର ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ଅନ୍ୟପଟେ ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ-5ରେ ଆଉ ଜଣେ ଓଡିଆ ଆଥଲେଟ ସଫଳତା ହାସଲ କରିଛନ୍ତି । 100ମିଟର ଦୌଡରେ ବାଜି ମାରିଛନ୍ତି ଶ୍ରାବଣୀ ନନ୍ଦ । ନିର୍ଦ୍ଧାରିତ ଦୂରତାକୁ 11.77ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶ୍ରାବଣୀ । ଏହି ଇଭେଣ୍ଟରେ ତେଲେଙ୍ଗାନାର ନିତ୍ୟା 11.85 ସେକେଣ୍ଡରେ ଦୂରତା ଅତିକ୍ରମ କରି ଦ୍ବିତୀୟ ଓ କର୍ଣ୍ଣାଟକର ଏଟି ଧନେଶ୍ବରୀ 11.94 ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନରେ ରହିଛନ୍ତି ।