ନୂଆଦିଲ୍ଲୀ: ନିଜ ମୃତ୍ୟୁ ଖବରକୁ ଖଣ୍ଡନ କଲେ ଜାତୀୟ ମହିଳା କୁସ୍ତି ଯୋଦ୍ଧା ନିଶା ଦହିୟା । ଜାତୀୟ ଗଣମାଧ୍ୟମରେ ନିଶାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଏହା ଜଣାଶୁଣା ସମ୍ବାଦ ପ୍ରେରଣ ସଂସ୍ଥା ଏହାକୁ ନେଇ ପୁଷ୍ଟି କରିବା ପରେ ଏହି ଖବର ନିଆଁ ଭଳି ବ୍ୟାପି ଯାଇଥିଲା ।
ସୋସିଆଲ ମିଡିଆରେ ମଧ୍ୟ ଏହି ଖବର ଭାଇରାଲ ହେବାକୁ ଲାଗିଲା । ତତ୍କ୍ଷଣାତ ଅନ୍ତର୍ଜାତୀୟ କୁସ୍ତି ଯୋଦ୍ଧା ସାକ୍ଷୀ ମଲିକ ଏହି ଖବରକୁ ଟ୍ବିଟ୍ କରି ଖଣ୍ଡନ କରିବା ସହ ନିଶାଙ୍କ ସହ ଫଟୋ ସେୟାର କରିଥିଲେ । ଏହାର କିଛି ସମୟ ପରେ ହିଁ ନିଶା ନିଜେ କ୍ୟାମେରା ସାମ୍ନାକୁ ଆସି ନିଜେ ଠିକ୍ ଥିବା କଥା କହିଛନ୍ତି ।
ବର୍ତ୍ତମାନ ନିଶା ଓ ସାକ୍ଷୀ ବରିଷ୍ଠ ଜାତୀୟ କୁସ୍ତି ପ୍ରତିଯୋଗିତାରେ ଭାଗ ନେବାକୁ ଗୋଣ୍ଡାରେ ରହିଛନ୍ତି । ଏହାପୂର୍ବରୁ ଖବର ଆସିଥିଲା ଯେ ନିଶା ଦହିୟା ଓ ତାଙ୍କ ଭାଇଙ୍କୁ ହରିୟାଣାର ସୋନିପତ୍ରେ ଗୁଳି ହତ୍ୟା କରାଯାଇଛି । ଖାଲି ସେତିକି ନୁହେଁ ଦୁର୍ବୃତ୍ତଙ୍କ ଆକ୍ରମଣରେ ନିଶାଙ୍କ ମାଆ ଗୁରୁତର ଭାବେ ଆହତ ହୋଇଥିବା ଖବର ପୁଷ୍ଟି କରିଥିଲା ଜାତୀୟ ଗଣମାଧ୍ୟମ ।
ନିଶାଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଖବର ଦେଇଥିବା ଜଣେ ଜଣାଶୁଣା ସାମ୍ବାଦିକ କ୍ଷମା ପ୍ରାର୍ଥନା କରିଛନ୍ତି । ଭୁଲ ବଶତଃ ଏଭଳି ଖବର ପ୍ରେରଣ କରିଥିବା କଥା ସେ କହିଛନ୍ତି । ନିଶା ବେଲଗ୍ରେଡରେ ଆୟୋଜିତ ବିଶ୍ବ କୁସ୍ତିଯୋଦ୍ଧା ଚମ୍ପିଆନସିପ୍ ୨୦୨୧ରେ କାଂସ୍ୟ ପଦକ ହାସଲ କରିଛନ୍ତି । ଏଭଳି କୃତିତ୍ବ ଯୋଗୁଁ କୁସ୍ତିଯୋଦ୍ଧାଙ୍କୁ ଆଜି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ