ଦୋହା:କତାରରେ ଚାଲିଥିବା ଫିଫା ବିଶ୍ବକପ ଫାଇନାଲ ମୁକାବିଲା ପାଇଁ ଲାଇନ ଅଫ୍ ଚୂଡାନ୍ତ ହୋଇସାରିଛି । ଡିସେମ୍ବର 18 ତାରିଖରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଟ୍ରଫି ଟକ୍କର ହେବ । ବୁଧବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଦ୍ବିତୀୟ ସେମି ଫାଇନାଲରେ ଜବରଦସ୍ତ ବିଜୟ ହାସଲ କରିଛି ଫ୍ରାନ୍ସ । ମରକ୍କୋକୁ 2-0 ଗୋଲରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି ଫ୍ରାନ୍ସ । ଫିଫା ବିଶ୍ବକପ ଇତିହାସରେ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । 1998ରେ ପ୍ରଥମ ଥର ଫାଇନାଲରେ ପ୍ରବେଶ କରି ଚାମ୍ପିଅନ ହୋଇଥିଲା । ଫାଇନାଲରେ ଦୁଇଥର ଚାମ୍ପିଅନ ଆର୍ଜେଣ୍ଟିନାକୁ ଭେଟିବ ଫ୍ରାନ୍ସ ।
ଡିଫେଣ୍ଡିଂ ଚମ୍ପିଅନ ଫ୍ରାନ୍ସ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲା । ମ୍ୟାଚ ଆରମ୍ଭର ପଞ୍ଚମ ମିନିଟରେ ଗୋଲ ଖାତା ଖୋଲିଥିଲା ଫ୍ରାନ୍ସ । ରାଫେଲ ଭରାନେଙ୍କଠୁ ଏକ ପାସ ପାଇ ଆଣ୍ଟୋନି ଗ୍ରୀଜମାନ ସାଥୀ ଖେଳାଳି କିଲିଆନ ଏମବାପେଙ୍କ ନିକଟକୁ ବଲ ପଠାଇଥିଲେ । ଏମବାପେ ଗୋଲ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ । ବଲ ଆଉଟ ଲାଇନ ଆଡକୁ ଯିବା ସମୟରେ ଡିଫେଣ୍ଡର ଥିଓ ହର୍ଣ୍ଣାଣ୍ଡେଜ ଗୋଲ କରିଥିଲେ । ମରକ୍କୋ ଗୋଲ ପରିଶୋଧ କରିବାକୁ ଜୋରଦାର ଲଢେଇ କରିଥିଲା ହେଲେ ଫ୍ରାନ୍ସ ଆକ୍ରମଣରେ ମରକ୍କୋ ଖେଳ ଫିକା ପଡି ଯାଇଥିଲା । ପ୍ରଥମାର୍ଦ୍ଧରେ ମରକ୍କୋ ପ୍ରୟାସ କରିଥିଲେ ବି ଖାତା ଖୋଲି ପାରିନଥିଲା ।