କୋଲକାତା: କତାରରେ ଜାରି ରହିଛି ଫିଫା ବିଶ୍ବକପ ୨୦୨୨ । ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ବିଶ୍ବର ଏହି ମେଗା ଇଭେଣ୍ଟ । ବିଶ୍ବର କୋଣ ଅନୁକୋଣରେ ଫୁଟବଲ ପ୍ରେମୀ ଏହି ଫୁଟବଲ ମହାକୁମ୍ଭର ବେଶ୍ ମଜା ନେଇଛନ୍ତି । କିଛି ପ୍ରଶଂସକ ଲାଇଭ ମ୍ୟାଚ୍ ଦେଖିଥିବା ବେଳେ କେହି କେହି ଟିଭି ସ୍କ୍ରିନରେ ନିଜ ଦଳର ମ୍ୟାଚକୁ ବେଶ୍ ଉପଭୋଗ କରିଛନ୍ତି । ତେବେ ଚଳିତ ଫିଫା ବିଶ୍ବକପରେ ଭାରତ ଖେଳିନଥିବା ବେଳେ କୋଲକାତାରୁ ୯ ହଜାର ଫୁଟବଲ ପ୍ରଶଂସକ କତାରରେ ପହଞ୍ଚିଛନ୍ତି ।
ଫୁଟବଲ ମହାକୁମ୍ଭ ପାଇଁ କୋଲକାତା ସହରରେ ରହୁଥିବା ଫୁଟବଲ ପ୍ରେମୀଙ୍କଠାରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଫୁଟବଲ ବିଶ୍ବକପର ମଜା ନେବା ପାଇଁ ଫ୍ୟାନ୍ସଙ୍କୁ ଚାରି ବର୍ଷ ଅପେକ୍ଷା କରିବାକୁ ପଡୁଛି । ତେଣୁ ଏଥର ବିଶ୍ବକପକୁ ଉପଭୋଗ କରିବା ତଥା ନିଜ ପ୍ରିୟ ଖେଳାଳିଙ୍କ ଝଲକ ଦେଖିବାକୁ ଆଶା ବାନ୍ଧିଛନ୍ତି କୋଲକାତା ସହରର ଫୁଟବଲ ପ୍ରେମୀ । ସହରରୁ ୯୦୦୦ରୁ ଅଧିକ ଫୁଟବଲ ପ୍ରଶଂସକ କତାର ଯାତ୍ରା କରିଥିବା ନେଇ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି ।
ଫିଫା ବିଶ୍ବକପ ୨୦୨୨ରେ ଶେଷ ହୋଇଛି କ୍ବାର୍ଟର ଫାଇନାଲ ମୁକାବିଲା । ସେମିଫାଇନାଲରେ ଶୀର୍ଷ ଚାରି ଟିମ୍ ମଧ୍ୟରେ ହେବ ମହା ମୁକାବିଲା । ବ୍ରାଜିଲ, ଇଂଲଣ୍ଡ, ପର୍ତ୍ତୁଗାଲ ଭଳି ଶକ୍ତିଶାଳୀ ଦଳ ସେମିରୁ ବାଦ୍ ପଡିଛନ୍ତି । ଡିଫେଣ୍ଡିଂ ଚମ୍ପିଆନ୍ ଫ୍ରାନ୍ସ, ଦୁଇ ଥର ବିଜେତା ଆର୍ଜେଣ୍ଟିନା ସହିତ କ୍ରୋଏସିଆ ଏବଂ ମରକ୍କୋ ସେମି ପାଇଁ ଟିକଟ୍ ହାତେଇଛନ୍ତି । ସେମିଫାଇନାଲ ପୂର୍ବରୁ ୯ ହଜାର ଦର୍ଶକ କତାରରେ ପହଞ୍ଚିଥିବା ବେଳେ ଫାଇନାଲ ପୂର୍ବରୁ ସଂଖ୍ୟା ଆହୁରି ବଢିବା ନେଇ ଆଶା ରହିଛି ।
ବ୍ରାଜିଲ ଓ ପର୍ତ୍ତୁଗାଲ ଭଳି ଫୁଟବଲ ଟିମ୍ ବିଶ୍ବକପରୁ ବାଦ ପଡିବା ସତ୍ତ୍ବେ ବି ସେମିଫାଇନାଲ ମ୍ୟାଚ ପାଇଁ କ୍ରେଜ୍ ବଢିବାରେ ଲାଗିଛି । ପ୍ରଶଂସକ ସେମିଫାଇନାଲ ଓ ଫାଇନାଲ ପୂର୍ବରୁ ପୂର୍ବ କତାର ଯାତ୍ରା ପାଇଁ ଟିକଟ୍, ରହିବା ସ୍ଥାନ ଏବଂ ଯିବା ଆସିବା ଖର୍ଚ୍ଚ ବାବଦରେ ପଚାରି ବୁଝିବାରେ ନଜର ଆସିଛନ୍ତି । ଟ୍ରେବଲ ଏଜେଣ୍ଟ ଫେଡେରେଶନ ଅଫ ଇଣ୍ଡିଆର ଅନୀଲ ପଞ୍ଜାବୀ କହିଛନ୍ତି ଯେ ପାଖାପାଖି ୧୦ ହଜାରରୁ- ୧୨ ହଜାର ଫୁଟବଲ ପ୍ରଶଂସକ ଏପର୍ଯ୍ୟନ୍ତ କତାର ଯାତ୍ରା କରିଛନ୍ତି । ଯେଉଁଥିରେ କୋଲକାତାରୁ ପ୍ରାୟ ୯ ହଜାର ଫ୍ୟାନ୍ସ ସାମିଲ ରହିଛନ୍ତି ।