ନୂଆଦିଲ୍ଲୀ:ଓମାନରେ ଚାଲିଥିବା ପୁରୁଷ ଜୁନିୟର ହକି ଏସିଆ କପରେ ଭାରତର ବିଜୟ ଧାରା ବଜାୟ ରହିଛି । ପ୍ରଥମ ମୁକାବିଲାରେ ଚାଇନିଜ ତାଇପେ ବିପକ୍ଷରେ ବୃହତ ବିଜୟ ପରେ ଦ୍ବିତୀୟ ମ୍ୟାଚରେ ଜାପାନକୁ ହରାଇଛି । ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଜାପାନକୁ 3-1 ଗୋଲରେ ପରାସ୍ତ କରି ଦ୍ବିତୀୟ ବିଜୟ ହାସଲ କରିଛି ଭାରତୀୟ ହକି ଦଳ । ଏହି ବିଜୟ ସହ ଭାରତ ମୋଟ 6 ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି ।
ମ୍ୟାଚରେ ଦୁଇ ଦଳ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା । ଦ୍ବିତୀୟ କ୍ବାର୍ଟରର 19ତମ ମିନିଟରେ ଜାପାନ ଗୋଟିଏ ଗୋଲ ସ୍କୋର କରି 1-0ରେ ଆଗୁଆ ରହିଥିଲା । କୁମ୍ପେଇ ଯସୁଦା ଗୋଲ କରିଥିଲେ । ଏହି କ୍ବାର୍ଟରରେ ଭାରତ ଖାତା ଖୋଲି ପାରିନଥିଲା । ମାତ୍ର ତୃତୀୟ କ୍ବାର୍ଟରରେ ଭାରତ ଜବରଦସ୍ତ କମବ୍ୟାକ କରିଥିଲା । ଘନ ଘନ ଆକ୍ରମଣ କରି 2ଟି ଗୋଲ କରିଥିଲା ଭାରତୀୟ ଖେଳାଳି । 36ମିନିଟରେ ଅରାଇଜିତ ସିଂହ ହୁଣ୍ଡାଇ ଏବଂ 39ତମ ମିନିଟରେ ସରଦାନନ୍ଦ ତିୱାରୀ ଗୋଲ ସ୍କୋର କରିଥିଲେ । ତୃତୀୟ କ୍ବାର୍ଟରରେ ଭାରତ 2-1ରେ ଆଗୁଆ ଥିଲା ।
ଚତୁର୍ଥ କ୍ବାର୍ଟର ସଂଘର୍ଷପୂର୍ଣ୍ଣ ହୋଇଥିଲା । ଜାପାନ ଗୋଲ ପରଶୋଧ କରିବାକୁ ସମସ୍ତ ପ୍ରୟାସ କରିଥିଲା ମାତ୍ର ବିଫଳ ହୋଇଥିଲା । ମ୍ୟାଚ ସରିବାକୁ ଆଉ 4 ମିନିଟ ବାକିଥିଲା । ଏହି ସମୟରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଯାହାର ଫାଇଦା ଉଠାଇଥିଲା ଭାରତ । 56ତମ ମିନିଟରେ ଅଧିନାୟକ ଉତ୍ତମ ସିଂହ ଏହାକୁ ଗୋଲରେ ପରିଣତ କରି ଦଳକୁ ବିଜୟ ଭେଟି ଦେଇଥିଲେ । 3-1ରେ ଜାପାନ ବିପକ୍ଷରେ ବିଜୟ ହାସଲ କରିଥିଲା ଭାରତୀୟ ଜୁନିୟର ହକି ଦଳ ।