ନୂଆଦିଲ୍ଲୀ: ମାଲେସିଆ ମାଷ୍ଟର୍ସରେ ଭାରତୀୟ ସଟଲରଙ୍କ ଦମଦାର ଅଭିଯାନ ଆରମ୍ଭ ହୋଇଛି । କ୍ବାଲାଲମ୍ପୁର ଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ, କେ.ଶ୍ରୀକାନ୍ତ, ଏଚଏସ ପ୍ରଣୟ ଓ ଲକ୍ଷ୍ୟ ସେନ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । ଷ୍ଟାର ସଟଲର ପିଭି ସିନ୍ଧୁ ଓ ପ୍ରଣୟ ଦମଦାର ପ୍ରଦର୍ଶନ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରି ସାରିଛନ୍ତି ।
ମହିଳା ବର୍ଗରେ ଡବଲ ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ଜାପାନର ଆୟା ଓହୋରିଙ୍କୁ 21-16, 21-11 ସେଟରେ ପ୍ରି କ୍ବାର୍ଟର ମୁକାବିଲାରେ ପରାସ୍ତ କରି କ୍ବାର୍ଟର ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି । 40 ମିନିଟ ଧରି ଚାଲିଥିବା ଏହି ମୁକାବିଲାରେ ବାଜି ମାରି ନେଇଛନ୍ତି ପିଭି ସିନ୍ଧୁ । ସେମି ଫାଇନାଲରେ ସ୍ଥାନ ପକ୍କା କରିବାକୁ ଚୀନର ୱାଙ୍ଗ ୟି ମ୍ୟାନଙ୍କୁ ଭେଟିବେ ସିନ୍ଧୁ । ପ୍ରଥମ ରାଉଣ୍ଡରେ ସିନ୍ଧୁ ଡେନମାର୍କର ଲିନ ଖ୍ରୀଷ୍ଟୋଫର୍ସନଙ୍କୁ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଥିଲେ । ଏହି ମ୍ୟାଚ ଜିତିବାକୁ ତାଙ୍କୁ 1 ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । 2014 ସଂସ୍କରଣରେ ଦଳୀୟ ଇଭେଣ୍ଟରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଥିଲେ । 2018 ସଂସ୍କରଣରେ ମହିଳା ଏକକ ବର୍ଗରେ ସେ ରୌପ୍ୟ ପଦକ ହାତେଇଥିଲେ ।
ସେହପରି ପୁରୁଷ ବର୍ଗରେ ଦମଦାର ପ୍ରଦର୍ଶନ କରିଛନ୍ତି ଏଚଏସ ପ୍ରଣୟ । ସେ ଅଲ ଇଂଲଣ୍ଡ ଚମ୍ପିଆନ ଚୀନର ଲି ସି ଫେଙ୍ଗଙ୍କୁ 13-21,21-16, 21-11 ସେଟରେ ପରାସ୍ତ କରି କ୍ବାର୍ଟର ଫାଇନାରେ ପ୍ରବେଶ କରିଛନ୍ତି । ଆସନ୍ତାକାଲି (ଶୁକ୍ରବାର) ଜାପାନର କେଣ୍ଟା ନିସିମୋଟୋଙ୍କୁ ଭେଟିବେ । ପ୍ରଥମ ରାଉଣ୍ଡରେ ପ୍ରଣୟଙ୍କୁ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା । ସେ 16-21, 21-14, 21-13ରେ ବିଶ୍ବର ଷଷ୍ଠ ନମ୍ବର ଖେଳାଳି ଚାଇନିଜ ତାଇପେର ଚୌ ତିଏନ ଚେନଙ୍କୁ ପରାସ୍ତ କରି ପ୍ରି କ୍ବାର୍ଟରରେ ପ୍ରବେଶ କରିଥିଲେ । ଏହି ମ୍ୟାଚ ଜିତିବାକୁ ପ୍ରଣୟଙ୍କୁ 64 ମିନିଟ ଲାଗିଥିଲା ।