ଓଡିଶା

odisha

ETV Bharat / sports

ଲେଗ କ୍ରିକେଟ: 19ବର୍ଷରୁ କମ ଭାରତୀୟ ଦଳର ଅଧିନାୟକ ଅତାବିରାର ଚନ୍ଦନ - 19 ବର୍ଷରୁ କମ ଭାରତୀୟ ଦଳର ଅଧିନାୟକ ଅତାବିରାର ଚନ୍ଦନ

ଭାରତୀୟ ଲେଗ କ୍ରିକେଟ ଟିମର 19 ବର୍ଷରୁ କମ ଦଳର ଅଧିନାୟକ ହୋଇଛନ୍ତି ବରଗଡ ଅତାବିରାର ଚନ୍ଦନ ରାଏ । ଜାଣନ୍ତୁ ତାଙ୍କର ଏହି ଯାତ୍ରା ସମ୍ବନ୍ଧରେ....

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ

By

Published : Sep 17, 2019, 11:47 PM IST

ବରଗଡ: କ୍ରିକେଟ କହିଲେ ମନକୁ ଆସେ ବଲ, ବ୍ୟାଟ, ଗ୍ଲୋଭବ୍ସ, ପ୍ୟାଡ ଇତ୍ୟାଦି । ମାତ୍ର ଏମିତି ଏକ କ୍ରିକେଟ ଅଛି, ଯାହା କେବଳ ଗୋଡରେ ଖେଳାଯାଏ । ଏଥିରେ ଦରକାର ହୋଇ ନଥାଏ ବ୍ୟାଟ କି କ୍ରିକେଟ ବଲ । କେବଳ ଫୁଟବଲ ପରି ଏକ ବଲରେ ଏହି ମ୍ୟାଚ ଖେଳାଯାଏ । ଏପରି ବିରଳ ଖେଳ ହେଉଛି ଲେଗ କ୍ରିକେଟ । ତେବେ ଭାରତୀୟ ଲେଗ କ୍ରିକେଟର 19 ବର୍ଷରୁ କମ ଟିମର ଅଧିନାୟକ ହୋଇଛନ୍ତି ବରଗଡ ଅତାବିରାର ଚନ୍ଦନ ରାଏ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ତେବେ ଏହି ଲେଗ୍ କ୍ରିକେଟ ଖେଳରେ ଜାତୀୟ ସ୍ତରରେ ଖେଳି କେବଳ ରାଜ୍ୟର ନୁହେଁ ବରଂ ସାରା ଦେଶର ନାଁ ରଖିବାରେ ସଫଳ ହୋଇପାରିଛନ୍ତି ଚନ୍ଦନ ରାଏ | ସେ ନେପାଲ, ଭୁଟାନ ପରି ଅନେକ ଦେଶକୁ ଯାଇ ଭାରତର ପ୍ରତିନିଧିତ୍ଵ କରିଛନ୍ତି | ହାଇସ୍କୁଲ ପଢା ସମାପ୍ତ ପରେ କଲେଜରେ ପଢୁଥିବା ବେଳେ ଚନ୍ଦନ ୨୦୧୨ ମସିହାରେ ୧୭ ବର୍ଷରୁ କମ ଲେଗ କ୍ରିକେଟ ପାଇଁ ପ୍ରଥମେ ହରିଆଣାକୁ ଯାଇଥିଲେ | ସେଠାରେ ତାଙ୍କର ଉଚ୍ଚକୋଟିର ପ୍ରଦର୍ଶନ ଦେଖି ତାଙ୍କୁ ଅଧିନାୟକ ଭାବେ ଘୋଷଣା କରାଯାଇଥିଲା | ଏହାପରେ ଚନ୍ଦନ ଅନ୍ତର୍ଜାତୀୟ ମ୍ୟାଚ ଖେଳି ଶିଖର ଛୁଇଁବା ସହିତ ଲେଗ କ୍ରିକେଟ ପାଇଁ ବେଶ ପରିଚିତ ହୋଇପାରିଛନ୍ତି |


କ୍ରିକେଟ ଏବଂ ଫୁଟବଲର ଯୁଗଳବନ୍ଦୀ ଥିବା ଏହି ଖେଳ ବିଷୟରେ ଖୁବ କମ ଲୋକ ଜାଣିଛନ୍ତି | କ୍ରିକେଟ ପରି ଏହା ୧୦ ଓଭରର ମ୍ୟାଚ ହୋଇଥାଏ ଏବଂ ଗୋଟିଏ ଟିମରେ ୧୧ ଜଣ ଖେଳାଳି ମଧ୍ୟ ରହିଥାନ୍ତି | ବୋଲର ବଳକୁ ପିଚ ଉପରେ ଗଡ଼େଇ ଦେଇଥାଏ ଏବଂ ବ୍ୟାଟ୍ସମ୍ୟାନ ସେହି ବଳକୁ ଗୋଡେଇ ଗୋଡେଇ ମାରିଥାନ୍ତି | କ୍ରିକେଟରେ ବଳକୁ ମାରିବା ପାଇଁ ବ୍ୟାଟର ବ୍ୟବହାର ହେଉଥିବା ବେଳେ ଏଠି ଗୋଡର ବ୍ୟବହାର ହୋଇଥାଏ | ବ୍ୟାଟ ବଦଳରେ ଗୋଡରେ ବଳକୁ ମାରି ରନ ପାଇଁ ଦୌଡିବାକୁ ପଡିଥାଏ | ଭୁଲ ଗୋଡରେ ଦୁଇଥର ମାରିଲେ ଅଥବା ପାଖରେ ବାଜିଲେ ବ୍ୟାଟ୍ସମ୍ୟାନ ଆଉଟ ହୋଇଥାଏ |

ତେବେ କ୍ରିକେଟ ଖେଳ ପରି ଏହି ଖେଳରେ ମଧ୍ୟ ପିଚର ଓସାର ୮ ଫୁଟ ଓ ଲମ୍ବ ୪୨ ରୁ ୪୮ ଫୁଟ ରହିଥାଏ |
ଲେଗ କ୍ରିକେଟ ଖେଳ ସାଧାରଣ କ୍ରିକେଟ ଖେଳ ପରି ଅଧିକ ଲୋକପ୍ରିୟ ହୋଇପାରିନଥିଲେ ମଧ୍ୟ ଚନ୍ଦନ ଏହି ଖେଳରେ ନିଜ ତଥା ନିଜ ଦେଶର ନାମ ରଖିବାରେ ସଫଳ ହୋଇପାରିଛନ୍ତି । ତେବେ ଏହି ଲେଗ କ୍ରିକେଟ ଖେଳ ପାଇଁ କୌଣସି ସରକାରୀ ସୁବିଧା ମିଳୁନଥିବାରୁ ଏହି ଖେଳର ଅଧିକ ପ୍ରଚାର ପ୍ରସାର ହୋଇପାରୁନାହିଁ |


ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details