ହାଇଦ୍ରାବାଦ: ରମେଶବାବୁ ପ୍ରଜ୍ଞାନାନନ୍ଦ । ବୟସ ମାତ୍ର 18 ବର୍ଷ । ହେଲେ ସଫଳତା ଢେର ବଡ । ଏହି ନାମକୁ ନେଇ ଆଜି ପ୍ରତିଟି ଭାରତୀୟ ଗର୍ବିତ । ବିଚକ୍ଷଣ ପ୍ରତିଭାର ଅଧିକାରୀ ଭାରତର ସତରଞ୍ଜ ବାଦଶାହା ପ୍ରଜ୍ଞାନାନନ୍ଦ ଫିଡେ ଚେସ୍ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରି ଉପବିଜେତା ହୋଇଛନ୍ତି । ପ୍ରଜ୍ଞାନାନନ୍ଦଙ୍କର ବିଜେତା ହେବା ସ୍ବପ୍ନ ମଉଳି ଯାଇଛି ସତ ହେଲେ ସେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ସମସ୍ତଙ୍କ ଦୃଦୟ ଜିତିଛନ୍ତି । ଟାଇବ୍ରେକରରେ ବିଶ୍ବର ନମ୍ବର ୱାନ ଗ୍ରାଣ୍ଡମାଷ୍ଟର ମାଗ୍ନସ କାର୍ଲସେନଙ୍କଠୁ ପରାଜିତ ହୋଇ ରନର୍ସଅପ ହୋଇଛନ୍ତି ପ୍ରଜ୍ଞାନାନନ୍ଦ । ତେବେ ଜାଣନ୍ତୁ କିଏ ଏହି ଚେସ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଜ୍ଞାନାନନ୍ଦ କିପରି ଥିଲା ତାଙ୍କ ଚେସ୍ ଯାତ୍ରା । ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।
ଚେସ୍ ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନାନନ୍ଦ:ସତରଞ୍ଜ ଦୁନିଆରେ ଏକ ଏକ ନୂଆ ଇତିହାସ ଲେଖିଛନ୍ତି ଚେନ୍ନାଇରେ ଜନ୍ମିତ ରମେଶବାବୁ ପ୍ରଜ୍ଞାନାନନ୍ଦ । 2005 ଅଗଷ୍ଟ 5 ତାରିଖରେ ଜନ୍ମ ହୋଇଥିବା ପ୍ରଜ୍ଞାନାନନ୍ଦ ମାତ୍ର 18 ବର୍ଷ ବୟସରେ ଫିଡେ ଚେସ ବିଶ୍ବକପ ଫାଇନାଲରେ ଉପବିଜେତା ହୋଇଛନ୍ତି । ସେମିଫାଇନାଲରେ ବିଶ୍ବର ତୃତୀୟ ନମ୍ବର ଖେଳାଳି ଫାବିଆନୋ କାରୁଆନଙ୍କୁ ଟ୍ରାଇବ୍ରେକରରେ ପରାସ୍ତ କରି ଦ୍ବିତୀୟ ଭାରତୀୟ ଭାବେ ବିଶ୍ବନାଥନ ଆନନ୍ଦଙ୍କ ପରେ ଚେସ୍ ବିଶ୍ବକପ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ସେ ପରାସ୍ତ ହୋଇଥିଲେ ମଧ୍ୟ ବିଶ୍ବର ନମ୍ବର ୱାନ ଗ୍ରାଣ୍ଡମାଷ୍ଟର ମାଗ୍ନସ କାର୍ଲସେନଙ୍କୁ କଡ୍ଡା ଟକ୍କର ଦେଇ ସମସ୍ତଙ୍କ ହୃଦୟ ଜିତିଥିଲେ ।
କାର୍ଟୁନରୁ ନଜର ହଟାଇବାକୁ ଆରମ୍ଭ କରିଥିଲେ ଚେସ୍ ଖେଳ:ସାଢେ 3 ବର୍ଷ ବୟସରୁ ଚେସ୍ ଖେଳିବା ଆରମ୍ଭ କରିଥିଲେ ପ୍ରଜ୍ଞାନାନନ୍ଦ । ମାତ୍ର ଏଥିପ୍ରତି ତାଙ୍କର ଆଗ୍ରହ ନଥିଲା । ତାଙ୍କ ବୟସର ସବୁ ପିଲାଙ୍କ ପରି ସେ ଟିଭି ଦେଖିଥିଲେ । ବିଶେଶ କରି କାର୍ଟୁନ କୁନି ପିଲାଙ୍କ ପ୍ରିୟ ଥିଲା । ସେ ବି ଟିିଭିରେ ଅଧିକ ସମୟ କାର୍ଟୁନ ଦେଖୁଥିଲେ । ଏଥିରୁ ତାଙ୍କ ନଜର ହଟାଇବାକୁ ତାଙ୍କ ବଡ ଭଉଣୀ ବୈଶାଳୀ ଚେସ୍ ଖେଳିବା ଶିଖାଇଥିଲେ । ସମୟ ଗଡିବା ସାଙ୍ଗକୁ ଚେସ୍ ପ୍ରତି ତାଙ୍କର ରୁଚି ବଢିଲା ଓ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଥିଲେ ପ୍ରଜ୍ଞାନାନନ୍ଦ । ଚେସ୍ ଖେଳରେ ବିଚକ୍ଷଣ ହୋଇଗଲେ ସେ । 7 ବର୍ଷରୁ କମ୍ ବୟସ ବର୍ଗରେ ଜାତୀୟ ଚେସ ଚମ୍ପିଆନସିପ ଜିତିବା ସହ ସର୍ବକନିଷ୍ଠ ଖେଳାଳି ଭାବେ ସେ ଅନ୍ତର୍ଜାତୀୟ ଚେସ୍ ମାଷ୍ଟର ଟାଇଟଲ (ଆଇଏମ) ହାସଲ କରିଥିଲେ । 2015ରେ ଅଣ୍ଡର-10 ଟାଇଟଲ ଜିତିଥିଲେ । ଏହାସହ ସେ 2022ରେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିଥିଲେ । ଚେସ୍ କ୍ୟାରିୟରର ସ୍ବର୍ଣ୍ଣିମ ସଫଳତା ମଧ୍ୟରେ ଅନେକ ଅଭିଜ୍ଞ ଖେଳାଳିଙ୍କୁ ପରାସ୍ତ କରିଛନ୍ତି ପ୍ରଜ୍ଞାନାନନ୍ଦ ।