ନୂଆଦିଲ୍ଲୀ: ଅଲମ୍ପିକ୍ସରେ ଶ୍ରେଷ୍ଠ ହେବାକୁ ହେଲେ ଭାରତକୁ ଆକ୍ବାଟିକ ସ୍ପୋର୍ଟ୍ସ, ଖାସ କରି ସନ୍ତରଣ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ।
ଅଲିମ୍ପିକ୍ସରେ ଯେକୌଣସି ଦେଶ ପାଇଁ ସନ୍ତରଣରେ ସଫଳତା ପାଇବା ଗୁରୁତ୍ବପୂର୍ଣ୍ଣ ବୋଲି ଜୋର ଦେଇ ରିଜିଜୁ କହିଛନ୍ତି । କାରଣ ଏହି ଖେଳରେ ହିଁ ଅଧିକ ପଦକ ଜିତିବା ସମ୍ଭବ ହୋଇଥାଏ । 2028 ପାଇଁ ବର୍ତ୍ତମାନ ଠାରୁ ଭାରତକୁ ଜଳ ଭିତ୍ତିକ କ୍ରୀଡ଼ାରେ ପ୍ରତିଦ୍ବନ୍ଦିତା କରିବା ପାଇଁ ପ୍ରସ୍ତୁତି କରିବାକୁ ହେବ ବୋଲି ରିଜିଜୁ କହିଛନ୍ତି ।
‘‘ଖେଳର ଇତିହାସ ଦେଖିଲେ ଜଣାପଡ଼େ ଯେ ଶ୍ରେଷ୍ଠ ଦେଶ ଗୁଡିକ ସନ୍ତରଣରେ ହିଁ ଅନେକ ସଂଖ୍ୟାରେ ପଦକ ହାସଲ କରିଛନ୍ତି । ଗତ 5ଟି ଅଲମ୍ପିକରେ ଆମେରିକା 31 ପ୍ରତିଶତ ପଦକ କେବଳ ସନ୍ତରଣରେ ପାଇଛି,’’ ବୋଲି ରିଜିଜୁ କହିଛନ୍ତି ।
‘‘ଆକ୍ବାଟିକ୍ସରେ ଅନେକ ଗୁଡିଏ ଇଭେଣ୍ଟ ଯୋଗୁଁ ଯେକୌଣସି ଦେଶ ପାଇଁ ଏହା ବଡ଼ ସୁଯୋଗ ହୋଇ ପାରିବ । ସନ୍ତରଣରେ ଆଜି ଆମେ ଅଲିମ୍ପିକ ସ୍ତରରେ ବହୁତ ପଛରେ ଅଛୁ କିନ୍ତୁ ଏହି କ୍ରୀଡାରେ ସଠିକ ଯୋଜନା, ସମ୍ବଳ ଓ ଏକାଗ୍ରତାର ସହ କାର୍ଯ୍ୟ କଲେ ଏଥିରେ ସଫଳତା ପାଇବାର ସମ୍ଭାବନା ଅଛି ।’’