ନୂଆଦିଲ୍ଲୀ:ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷା ତଥା କିମ୍ବଦନ୍ତୀ ଆଥଲେଟ ପିଟି ଉଷା କ୍ରୀଡା ପ୍ରଶାସକ ଭାବେ ଆଉ ପାଦେ ଆଗକୁ ବଢିବାକୁ ଯାଉଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ ନିର୍ବାଚନରେ ଉପସଭାପତି ପଦ ପାଇଁ ନିର୍ବାଚନ ଲଢିବେ ପିଟି ଉଷା । ରାଜ୍ୟ ଗୋଷ୍ଠୀ କ୍ରୀଡା ଫେଡେରେସନର ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଆଇଓଏ ସଭାପତି ଥିବା ପିଟି ଉଷା ଉପସଭାପତି ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।
14 ଓ 15 ସେପ୍ଟେମ୍ବରରେ ସିଙ୍ଗାପୁରରେ ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ ନିର୍ବାଚନ ହେବ । ଏଥିରେ ସଭାପତି, ଉପସଭାପତି, ଆଞ୍ଚଳିକ ଉପସଭାପତି ଏବଂ କ୍ରୀଡା କମିଟି ସଦସ୍ୟ ପଦ ପାଇଁ ନିର୍ବାଚନ ହେବ । ସମସ୍ତ ନିର୍ବାଚିତ ପ୍ରତିନିଧି ଆଗାମୀ 4 ବର୍ଷ ଯାଏ କାର୍ଯ୍ୟ ତୁଲାଇବେ । 59 ବର୍ଷୀୟ ପିଟି ଉଷାଙ୍କ ସମେତ ଦକ୍ଷିଣ ଆଫ୍ରିକାର ବ୍ୟାରୀ ହେଣ୍ଡ୍ରିକ୍ସ, ବାର୍ବାଡସର ସାନ୍ଦ୍ରା ଓସବୋର୍ନୋ, କନାଡାର ରିଟାର୍ଡ ପାୱାର, ସ୍କଟଲାଣ୍ଡର ଇଆନ ରିଡ ଓ ଉଗାଣ୍ଡାର ରୁକା ଉପସଭାପତି ଦୌଡରେ ରହିଛନ୍ତି । ସେହିପରି ଆଞ୍ଚଳିତ ଉପସଭାପତି ପଦରେ ସିଙ୍ଗାପୁରର ଖ୍ରୀଷ୍ଟଫର, ଶ୍ରୀଲଙ୍ଗାରୁ ମ୍ୟାକ୍ସୱେଲ ଡିସିଲଭା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସିଜିଏଫ ସଭାପତି ପାଇଁ ୱେଲ୍ଡର କ୍ରିସ ଜେଙ୍କିନସ ଓ ନ୍ୟୁଜିଲାଣ୍ଡର କେରିନ ସ୍ମିଥଙ୍କ ମଧ୍ୟରେ ଲଢେଇ ହେବ ।
ଏହା ବି ପଢନ୍ତୁ...ପିଟି ଉଷାଙ୍କ ଏକାଡେମୀରେ ଗୁଣ୍ଡାଗର୍ଦ୍ଦି, ସାଂସଦ ହେବା ପରେ ଅସୁବିଧା ବଢିଥିବା ଅଭିଯୋଗ