ଚଣ୍ଡିଗଡ: ହାତକୁ ଦୁଇ ହାତ ହୋଇଛନ୍ତି ଭାରତୀୟ ମହିଳା ହକି ଦଳର ଅଧନାୟିକା ସବିତା ପୁନିଆ । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସବିତା । ହରିୟାଣା ସୋନପତ ବାସିନ୍ଦା ତଥା କାନାଡାରେ ଏକ ବ୍ୟାଙ୍କରେ ସଫ୍ଟୱେୟାର ଇଞ୍ଜିନିୟର ଥିବା ଅଙ୍କିତ ବାଲହରାଙ୍କୁ ଜୀବନସାଥୀ କରିଛନ୍ତି 32 ବର୍ଷୀୟ ସବିତା ପୁନିଆ । ଚଣ୍ଡିଗଡର ପାର୍କ ପ୍ଲାଜା ହୋଟେଲରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉଭୟଙ୍କ ପରିବାର ସଦସ୍ୟ ଓ କିଛି ସ୍ବତନ୍ତ୍ର ଅତିଥି ଗହଣରେ ବିବାହ ସମ୍ପନ୍ନ ହୋଇଛି ।
ହରିୟାଣାର ସିରସା ତଥା ସବିତା ଭାରତୀୟ ମହିଳା ହକି ଦଳର ଅଧିନାୟିକା ଭାର ତୁଲାଉଛନ୍ତି । କ୍ରୀଡା ପ୍ରତି ଶ୍ରେଷ୍ଠ ଅବଦାନ ପାଇଁ ସେ ଅର୍ଜୁନ ପୁରସ୍କାର ପାଇଛନ୍ତି । ଏହାସହ ହକି ଇଣ୍ଡିଆ 5ମ ବାର୍ଷିକ ସମାରୋହରେ ମହିଳା ହକି ଦଳର ସବିତା ପୁନିଆ 2022ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ତାଙ୍କୁ 25 ଲକ୍ଷ ଟଙ୍କା ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା । ହକିରେ ସବିତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।
ବିବାହ ପରେ ବର୍ତ୍ତମାନ ସବିତା ଭାରତରେ ରହିବେ । ଆଗକୁ 2024 ଅଲମ୍ପିକ୍ସ ଥିବାରୁ ତାଙ୍କର ସମସ୍ତ ଫୋକସ ଅଲମ୍ପିକ୍ସ ଉପରେ ରହିବ । ବିବାହକୁ ନେଇ ସବିତା କହିଛନ୍ତି, ''ବିବାହ ପାଇଁ ଅଳ୍ପ ସମୟ ମିଳିଛି । 12 ଏପ୍ରିଲରେ ଅଷ୍ଟ୍ରେଲିଆ ଗସ୍ତ ଲାଗି 33 ଜଣିଆ ଦଳରେ ଯୋଗ ଦେବି ।'' 2003-04ରେ ସବିତା ଖେଳିବା ଆରମ୍ଭ କରିଥିଲେ । 2007ରେ ଭାରତୀୟ ସିନିୟର ନ୍ୟାସନାଲ ହକି ଦଳରେ ସାମିଲ ହୋଇଥିଲେ । 2011ରେ ସବିତା ଅନ୍ତର୍ଜାତୀୟ ସ୍ତରରେ ଖେଳିବା ଆରମ୍ଭ କରିଥିଲେ । ଏହାପରେ ସଫଳତା ପରେ ସଫଳତା ହାସଲ କରିଥିଲେ ସବିତା ।