ବାର୍ସିଲୋନା: ୩-୦ରେ ଇଂଲଣ୍ଡକୁ ମାତ ଦେଲା ଭାରତୀୟ ମହିଳା ହକି ଦଳ । ଯୁବା ଷ୍ଟ୍ରାଇକର୍ ଲାଲରେମସିଆମିଙ୍କ ହ୍ୟାଟ୍ରିକ୍ ଗୋଲ୍ ବଳରେ ଭାରତୀୟ ମହିଳା ହକି ଦଳ ୩-୦ ଗୋଲ୍ରେ ଇଂଲଣ୍ଡକୁ ପରାସ୍ତ କରିଛି । ସ୍ପାନିସ ହକି ସଂଘର ଶତବାର୍ଷିକୀ ଅବସରରେ ବାର୍ସିଲୋନାରେ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ତେବେ ଏଥିରେ ଶନିବାର ଇଂଲଣ୍ଡକୁ ଭେଟିଥିଲା ଭାରତ ମହିଳା ହକି ଦଳ । ଏହି ମ୍ୟାଚ୍ରେ ମିଜୋରାମର ଯୁବା ଷ୍ଟ୍ରାଇକର୍ ଲାଲରେମସିଆମିଙ୍କ ହ୍ୟାଟ୍ରିକ୍ ଗୋଲ୍ ବଳରେ ଇଂଲଣ୍ଡକୁ ୩-୦ରେ ମାତ ଦେଇଛି ଟିମ୍ ଇଣ୍ଡିଆ ।
ଏହି ମ୍ୟାଚ୍ରେ ହ୍ୟାଟ୍ରିକ୍ ଗୋଲ ସହ ଚମତ୍କାର ପ୍ରଦର୍ଶନ କରିଥିବା ୨୩ ବର୍ଷୀୟା ଲାଲରେମସିଆମି ମ୍ୟାଚ୍ର ୧୩ ମିନିଟ୍ରେ ପ୍ରଥମ ଗୋଲ ଦେଇଥିଲେ । ଏହାପରେ ତୁରନ୍ତ ୧୭ ତମ ମିନିଟ୍ରେ ଦ୍ବିତୀୟ ଗୋଲ ଦେଇଥିଲେ ଲାଲରେମସିଆମି । ସେହିଭଳି ୫୬ ମିନିଟରେ ତୃତୀୟ ଗୋଲ୍ ଦେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ ସେ । ତେବେ ଏହା ସହିତ ପ୍ରତିଯୋଗିତାରେ ପ୍ରଥମ ବିଜୟ ହାସଲ କରିଛି ଭାରତୀୟ ଦଳ । ପୂର୍ବ ଦୁଇଟି ମ୍ୟାଚ୍ରେ ଭାରତୀୟ ମହିଳା ଦଳ ଇଂଲଣ୍ଡ ଓ ସ୍ପେନ୍ ସହ ମୁହାଁମୁହିଁ ହୋଇଥିବା ବେଳେ ଉଭୟ ମ୍ୟାଚ୍ରେ ଯଥାକ୍ରମେ ୧-୧ ଏବଂ ୨-୨ ଗୋଲ୍ରେ ଅମୀମାଂସିତ ରହିଥିଲା । ସେହିଭଳି ପ୍ରତିଯୋଗିତାରେ ଅପରାଜିତ ଥିବାରୁ ଭାରତୀୟ ଦଳ ଟେବୁଲ୍ ଟପ୍ପର ଭାବେ ଫାଇନାଲ୍ ଖେଳିବା ମଧ୍ୟ ଏକ ପ୍ରକାର ନିଶ୍ଚିତ ହୋଇଛି ।