ମୁମ୍ବାଇ:ଅଧାରୁ ଅଧିକ ଖେଳାଳି ଓ ଷ୍ଟାଫ୍ କୋରୋନା ସଂକ୍ରମିତ ହେବାପରେ ଏସିଆନ୍ କପ୍ରୁ ବାଦ ପଡ଼ିଲା ଭାରତୀୟ ମହିଳା ଫୁଟବଲ ଦଳ । ତେବେ ଏଥିପାଇଁ ଏଏଫସି ହୋଟେଲ କର୍ମଚାରୀଙ୍କୁ ଦୋଷ ଦେଇଛନ୍ତି ମୁଖ୍ୟ କୋଚ୍ ଥୋମାସ ଡେନେରବି । କୋଭିଡ ଯାଞ୍ଚ ଢିଲା ଦେବାରୁ ଭାରତର ୨୩ରୁ ୧୯ ଜଣ ଖେଳାଳି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଫଳରେ ଏସିଆନ୍ କପ୍ ୨୦୨୨ରୁ ବାଧ୍ୟ ହୋଇ ଭାରତୀୟ ଦଳ ଓହରିଥିଲା ।
ଭାରତୀୟ ଦଳର ୬୨ ବର୍ଷୀୟ କୋଚ୍ କହିଛନ୍ତି ଯେ, "ଟିମ୍ ହୋଟେଲ କର୍ମଚାରୀଙ୍କ ଠାରୁ ହିଁ ଭାରତୀୟ ଖେଳାଳି କୋଭିଡ ସଂକ୍ରମିତ ହୋଇଛନ୍ତି । ଏହାକୁ ଏଏଫସି ଚୟନ କରିଥିଲା । କୋଭିଡ ଟେଷ୍ଟକୁ ନେଇ ହୋଟେଲ କର୍ମଚାରୀ ଏତେଟା ଗମ୍ଭୀର ନଥିଲେ । କୋଭିଡ ଟେଷ୍ଟ କରିବାର ୪୮ ଘଣ୍ଟା ପର୍ଯ୍ୟନ୍ତ ସେହି କର୍ମଚାରୀମାନେ ହୋଟେଲରେ ରହିଥିଲେ । ରୋଷେୟା ଓ ଅନ୍ୟ ଷ୍ଟାଫ୍ଙ୍କୁ ମିଶାଇ ମୋଟ ୭ ଜଣ ଷ୍ଟାଫ୍ କୋରୋନା ସଂକ୍ରମିତ ହୋଇଥିଲେ ।"