ପ୍ୟାରିସ:ତୀରନ୍ଦାଜ ବିଶ୍ବକପରେ ଭାରତୀୟ ମହିଳା ପ୍ରତିଯୋଗୀଙ୍କ କମାଲ । ତୀରନ୍ଦାଜ ବିଶ୍ବକପର ତୃତୀୟ ପର୍ଯ୍ୟାୟରେ ଭାରତୀୟ ରିକର୍ଭ ଦଳ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସକ୍ଷମ ହୋଇଛି । ତୃତୀୟ ପର୍ଯ୍ୟାୟରେ ମେକ୍ସିକୋ ଦଳକୁ ମାତ ଦେଇ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ହାସଲ କରିବାରେ ସକ୍ଷମ ହୋଇଛି ।
ପ୍ୟାରିସରେ ଯୋଗ ଦେଇଥିବା ଭାରତୀୟ ରିକର୍ଭ ତୀରନ୍ଦାଜ ଦଳରେ ଦୀପିକା କୁମାର, କମାଲିକା ବରି ଓ ଅଙ୍କିତା ଭକତ ସାମିଲ ରହିଛନ୍ତି। ତୃତୀୟ ବା ଶେଷ ପର୍ଯ୍ୟାୟରେ ଭାରତୀୟ ଦଳ ମେକ୍ସିକୋକୁ 5-1 ପଏଣ୍ଟରେ ପରାସ୍ତ କରିଛି । ଏହାକୁ ମିଶାଇ ଭାରତୀୟ ଦଳ 2021ରେ ଦୁଇଟି ସ୍ବର୍ଣ୍ଣ ପଦକ ବିଜୟୀ ହେବାରେ ସକ୍ଷମ ହୋଇଛି ।
ଭାରତୀୟ ରିକର୍ଭ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିବା ନେଇ ବିଶ୍ବ ତୀରନ୍ଦାଜ ସଂଘ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ପ୍ୟାରିସରେ ଜାରି ରହିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ହାସଲ ହେବ ନାହିଁ । ଗତ ସପ୍ତାହରେ ଭାରତୀୟ ତୀରନ୍ଦାଜ ଅଭିଷେକ ବର୍ମା ମଧ୍ୟ ପ୍ୟାରିସ ବିଶ୍ବ କପରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଅଭିଷେକ ବର୍ମା କ୍ରୀଶ ସ୍କାଫ୍ଙ୍କୁ ପରାଜିତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହାକୁ ନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଥିଲା । ତେବେ ଗତ ସପ୍ତାହରେ ଭାରତୀୟ ରିକର୍ଭ ଦଳ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ