ନୂଆଦିଲ୍ଲୀ: ବିବାଦ ଭିତରେ ଥିବା ଭାରତୀୟ କୁସ୍ତି ସଂଘ ନିର୍ବାଚନ ଜୁଲାଇ 4 ତାରିଖରେ ହେବାକୁ ଯାଉଛି । ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ଅଲମ୍ପିକ ଆସୋସିଏସନ । ନିର୍ବାଚନକୁ ନିରପେକ୍ଷ ଓ ସ୍ବଚ୍ଛତାର ସହ କରିବାକୁ ଆଇଓଏ ଜମ୍ମୁ କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ମହେଶ ମିତ୍ତଲ କୁମାରଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରିଛି । କୁସ୍ତିଯୋଦ୍ଧା ବିବାଦକୁ ନେଇ ଆନ୍ଦୋଳନ କରିଥିବା ଷ୍ଟାର କୁସ୍ତିଯୋଦ୍ଧାଙ୍କ ସହ ବୈଠକରେ ଜୁନ 30 ସୁଦ୍ଧା ଆଲୋଚନା କରିବାକୁ କହିଥିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ।
ଭାରତୀୟ ଅଲମ୍ପିକ ଆସୋସିଏସନ ଏକ ବିବୃତ୍ତି ଜାରି କରି କହିଛି, ''ଭାରତୀୟ କୁସ୍ତି ସଂଘ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁଲାଇ 4ରେ ନିର୍ବାଚନ ହେବ । ଜମ୍ମୁ କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ମହେଶ ମିତ୍ତଲ କୁମାରଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରିଛୁ । ଏହାସହିତ ଜଣେ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ଅନ୍ୟ କର୍ମଚାରୀ ନିଯୁକ୍ତି ହୋଇପାରନ୍ତି । ଭାରତୀୟ କୁସ୍ତି ସଂଘ ନିର୍ବାଚନରେ ସଭାପତି ପଦଠୁ ନେଇ ଅନ୍ୟ ଅନ୍ୟାନ ପଦବୀରେ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବରୁ 30ଜୁନରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିବା ପରବର୍ତ୍ତୀ ସମୟରେ ଏହାକୁ ବଦଳା ଯାଇଥିଲା । ଜଣେ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ଅନ୍ୟ କର୍ମଚାରୀ ନିଯୁକ୍ତି କରିବା ନେଇ ଜଷ୍ଟିସ ମହେଶ ମିତ୍ତଲ କୁମାରଙ୍କୁ ଚିଠିରେ କହିଛନ୍ତି ଆଇଓଏ ମିଳିତ ସଚିବ ସିଇଓ କଲ୍ୟାଣ ଚୌବେ । ''