ମୁମ୍ବାଇ: 98 ବର୍ଷରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବରିଷ୍ଠ ବଲିଉଡ ଅଭିନେତା ବା ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ କୁମାର । ସ୍ବାସ୍ଥ୍ୟଗତ ସମସ୍ୟାରୁ ଦୀର୍ଘଦିନ ଧରି ସେ ଶଯ୍ୟାଶାୟୀ ହୋଇ ରହିଥିଲେ। ଏହାକୁ ନେଇ ଭାରତର କ୍ରିକେଟ ଜଗତ ଶୋକ ପ୍ରକାଶ କରିଛି ।
ବୁଧବାର ସକାଳ 7.30ମିନିଟ ସମୟରେ ହସ୍ପିଟାଲରେ ଦେହ ତ୍ୟାଗ କରିଥିଲେ ଦିଲ୍ଲୀପ କୁମାର । ଏହାପରେ ମୁମ୍ବାଇର ଜୁହୁ କବରସ୍ଥାନରେ ତାଙ୍କୁ କବର ଦିଆଯାଇଛି । ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।
ସେପଟେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଦିଲ୍ଲୀପ କୁମାରଙ୍କ ଦେହାନ୍ତକୁ ନେଇ ଶୋକ ପ୍ରକାଶ କରିଛନ୍ତି ।
ଟ୍ବିଟ୍ କରି ସଚିନ ତେନ୍ଦୁଲକର କହିଛନ୍ତି ଯେ, "ଆପଣଙ୍କୁ ସ୍ବର୍ଗ ପ୍ରାପ୍ତି ହେଉ ଦିଲ୍ଲୀପ କୁମାର ଜି । ଆପଣଙ୍କ ଭଳି ଦ୍ବିତୀୟ ଭାରତକୁ କେବେବି ମିଳି ପାରିବ ନାହିଁ । ଭାରତୀୟ ସିନେମା ଜଗତରେ ଆପଣଙ୍କ ଯୋଗଦାନ ସବୁବେଳେ ସ୍ବତନ୍ତ୍ର ରହିବ । ସାଇରା ବାନୁ ଓ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି।"
ଏହାସହ ଭାରତୀୟ କ୍ରିକେଟ ଦଳର ମୁଖ୍ୟକୋଚ୍ ରବି ଶାସ୍ତ୍ରୀ ମଧ୍ୟ ଦିଲ୍ଲୀପ କୁମାରଙ୍କ ଦେହାନ୍ତଙ୍କୁ ନେଇ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରିଛନ୍ତି ଯେ, "ଦିଲ୍ଲୀପ କୁମାରଙ୍କ ପ୍ରାଣତ୍ୟାଗ ଖବର ଶୁଣି କଷ୍ଟ ଲାଗିଲା । ତାଙ୍କ ପ୍ରଶଂସକ ଓ ପରିବାରକୁ ମୁଁ ସମବଦେନା ଜଣାଉଛି । ଭାରତୀୟ ସିନେମା ଜଗତରେ ତାଙ୍କର ଅବଦାନ ସେ ସବୁବେଳେ ଅମର ରହିବେ ।"
ଭାରତୀୟ ଦଳର ଅଭିଜ୍ଞ ବ୍ୟାଟସମ୍ୟାନ ଶିଖର ଧାୱନ ମଧ୍ୟ ଦିଲ୍ଲୀପ କୁମାରଙ୍କୁ ନେଇ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, "ଦିଲ୍ଲୀପ ସାହାବଙ୍କୁ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟୀ । ଜଣେ ଦକ୍ଷ ଅଭିନେତା ଭାବରେ ଭାରତୀୟ ସିନେମା ଜଗତରେ ନଜ ଛାପ ଛାଡ଼ିଛନ୍ତି । ଆଗାମୀ ପିଢ଼ି ପାଇଁ ସେ ଜଣେ ଆଦର୍ଶ।"
କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଦିଲ୍ଲୀପ କୁମାରଙ୍କୁ ନେଇ ଶୋକ ପ୍ରକାଶ କରିଛନ୍ତି, "ଆମେ କିରଣ ରିଜିଜୁଙ୍କ ଅଭିନୟ ଦେଖି ବଡ଼ ହୋଇଛୁ। ଏହି କିମ୍ବଦନ୍ତୀ ଅଭିନେତାଙ୍କ ଦେହାନ୍ତ ଖବରରେ ମୁଁ ମର୍ମାହତ । ଭାରତୀୟ ସିନେମା ଜଗତରେ ତାଙ୍କ ଅବଦାନ ଭୁଲିବା ଅସମ୍ଭବ । ମୁଁ ସାଇରା ବାନୁ ଓ ପରିବାରକୁ ସମବେଦନା ଜଣାଉଛି ।"
କେବଳ ଭାରତ ନୁହେଁ ପୂର୍ବତନ ପାକିସ୍ତାନ କ୍ରକେଟର ସାହିଦ ଆଫ୍ରିଦି ମଧ୍ୟ ଦୀଲ୍ଲିପ କୁମାରଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ବିଟ କରି କହିଛନ୍ତି ଯେ, "ଆମେ ସମସ୍ତେ ଆଲ୍ଲାଙ୍କ ଲୋକ । ଦିନେ ନା ଦିନେ ଆମେ ତାଙ୍କ ନିକଟକୁ ଫେରିଯିବା। ୟୁସୁଫ ଖାନଙ୍କ ଫ୍ୟାନ ଓ ଭାରତୀୟ ସିନେମା ଜଗତ ପାଇଁ ଏକ ବୃହତ କ୍ଷତି । ନିଜ ଅଭିନୟ ବଳରେ ମୁମ୍ବାଇଠାରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ଲୋକଙ୍କୁ ବାନ୍ଧିଥିଲେ ୟୁସୁଫ ଖାନ ସାହାବ। ସାଇରା ବାନୁ ସାହିବା ଓ ପରିବାରକୁ ମୁଁ ସମବେଦନା ଜଣାଉଛି ।"
ଦିଲ୍ଲୀପ କୁମାରଙ୍କ ପ୍ରକୃତ ନାମ ୟୁସୁଫ ଖାନ । କିନ୍ତୁ ଫିଲ୍ମ କ୍ୟାରିଅର ଆରମ୍ଭ କରିବା ପରେ ସେ ନିଜକୁ ଦିଲ୍ଲୀପ କୁମାର ନାମରେ ପରିଚିତ ହୋଇଥିଲେ ।1944 ମସିହାରେ ଜ୍ବାର ଭଟ୍ଟା ଫିଲ୍ମରେ ପ୍ରଥମଥର ପାଇଁ ସିଲଭର ସ୍କ୍ରିନକୁ ଓହ୍ଲାଇଥିଲେ ଦିଲ୍ଲୀପ କୁମାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ