ପୋଟଚେଫଷ୍ଟ୍ରୋମ (ଦକ୍ଷିଣ ଆଫ୍ରିକା):ଭାରତୀୟ ଜୁନିୟର ମହିଳା ହକି ଟିମ ଦମଦାର ବିଜୟରୁ FIH ଜୁନିୟର ମହିଳା ହକି ବିଶ୍ବକପ ଅଭିଯାନ ଆରମ୍ଭ କରିଛି । ଟିମ ଇଣ୍ଡିଆ ଶନିବାର ପୁଲ୍ D'ର ପ୍ରଥମ ମ୍ୟାଚ୍ରେ ୱେଲ୍ସକୁ ୫-୧ରେ ହରାଇଛି । ଭାରତ ପକ୍ଷରୁ ଲାଲ୍ରେସିଆମି(4'), ଲାଲ୍ରିନ୍ଦିକି (୩୨', ୫୭'), ମୁମତାଜ ଖାନ(୪୧') ଓ ଦୀପିକା (୫୮') ଗୋଲ୍ ସ୍କୋର କରିଥିଲେ । ୱେଲ୍ସ ପକ୍ଷରୁ ଏକମାତ୍ର ଗୋଲ୍ ୨୬ତମ ମିନିଟ୍ରେ ମିଲିଏ ହୋଲମେ କରିଥିଲେ । ଭାରତର ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଟିମକୁ ଶୁଭେଚ୍ଛା ଜଣାଇବା ସହ ଟୁର୍ଣ୍ଣାମେଣ୍ଟର ଆଗାମୀ ମ୍ୟାଚ୍ ପାଇଁ ଶୁଭକାମନା ଜଣାଇଛନ୍ତି ।
ସାଲିମା ଟେଟେଙ୍କ ନେତୃତାଧୀନ ଭାରତୀୟ ଟିମ ମ୍ୟାଚ୍ର ପ୍ରଥମ କ୍ବାର୍ଟରରୁ ହିଁ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲା । ମ୍ୟାଚ୍ ଆରମ୍ଭର କିଛି ସେକେଣ୍ଡ ମଧ୍ୟରେ ପେନାଲିଟି କର୍ଣ୍ଣର ହାତେଇଥିଲା ଭାରତ ମାତ୍ର ୱେଲ୍ସ ଗୋଲକିପର ଫିଅନ ହୋରେଲ ଏହାକୁ ରୋକିବାରେ ସଫଳ ହୋଇଥିଲେ ।