ହାଇଦ୍ରାବାଦ:୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ବକପ । ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କଲା ଭାରତ । ଆଜି(ରବିବାର) ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ବକପରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଥିଲେ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୫୯ କରିଥିଲା । ଏହାର ଜବାବରେ ଭାରତ ମାତ୍ର ୭.୨ ଓଭରରେ ୩ ୱିକେଟ ହରାଇ ସହଜରେ ଟାର୍ଗେଟ ହାସଲ କରି ନେଇଛି । ପାରଶଭି ଚୋପ୍ରା ସର୍ବାଧିକ ୪ଟି ୱିକେଟ ନେଇ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
୬୦ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥଲା ଭାରତ । ଆରମ୍ଭରୁ ଓପନିଂ ଯୋଡି ଭଲ ପାଳି ଆରମ୍ଭ କରିଥିଲେ । ପ୍ରଥମ ୱିକେଟ ଭାରତର ଦଳୀୟ ଖାତାରେ ୧୬ ରନ ଯୋଡ଼ିଥିଲା । ଏହାପରେ ସୌମ୍ୟା ତିୱାରୀଙ୍କ ଦମଦାର ୨୮ ରନର ଇନିଂସ ବଳରେ ଭାରତ ୭.୨ ଓଭରରେ ୬୦ ରନ କରିବାରେ ସକ୍ଷମ ହୋଇଥିଲା । ସେ ୧୫ ବଲରୁ ୫ ଟି ଚୌକା ସହିତ ୨୮ ରନ କରି ଅପରାଜିତ ରହିଥିଲେ । ଅଧିନାୟିକା ସେଫାଳି ବର୍ମା ୧୦ ବଲରୁ ଗୋଟିଏ ଚୌକା ଏବଂ ଗୋଟିଏ ଛକା ବଳରେ ୧୫ ରନ କରିଥିଲେ । ସେହିପରି ଶ୍ବେତା ଶେରାୱତ ୧୭ ବଲରୁ ୨ଟି ଚୌକା ସହିତ ୧୩ ରନ କରିଥିଲେ । ରିଚା ଘୋଷ ୪ ରନ କରିଥିଲେ । ସେହିପରି ବୋଲିଂ ଲାଇନ ଅପରେ ପାରଶଭି ଚୋପ୍ରା ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ମନ୍ନତ କଶ୍ୟପ ୨ଟି ଏବଂ ତିତାତ ସାଧୁ ଓ ଅର୍ଚ୍ଚନା ଦେବୀ ଗୋଟିଏ ୱିକେଟ ନେଇଥିଲେ ।