ରାଉରକେଲା: ଏଫଆଇଏଚ ପୁରୁଷ ହକି ବିଶ୍ବକପରେ ପ୍ରଥମ ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିସାରିଛି ଭାରତୀୟ ଦଳ । ଉଦଘାଟନୀ ମ୍ୟାଚରେ ସ୍ପେନ ବିପକ୍ଷରେ ଖେଳି 2-0ରେ ବିଜୟ ହାସଲ କରିଥିଲା ହରମନପ୍ରୀତଙ୍କ ନେତୃତ୍ବାଧୀନ ଇଣ୍ଡିଆ ଟିମ୍ । ଆଜି (ରବିବାର) ଦ୍ବିତୀୟ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ଭାରତୀୟ ଦଳ । ପ୍ରଥମ ମ୍ୟାଚ ଜିତିବା ପରେ ଦ୍ବିତୀୟ ମ୍ୟାଚ ଜିତି ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ଭାରତ ।
48 ବର୍ଷ ପରେ ପଦକ ଜିତିବା ପଥରେ ଅଗ୍ରସର ହେଉଛି ଟିମ ଇଣ୍ଡିଆ । ଉତ୍ତମ ରଣନୀତି ସହ ଆଜିର ମୁକାବିଲା ଜିତିବାକୁ କସରତ କରିବ ଭାରତ । ରାତି 7ଟାରେ ରାଉରକେଲାର ବର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଷ୍ଟାଟ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି.କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ ।
ଅନ୍ୟତମ ଦାବିଦାର ଇଂଲଣ୍ଡ ସହ ଦ୍ବିତୀୟ ମ୍ୟାଚ ଖେଳିବ ଭାରତ । ବିଶ୍ବ ମାନ୍ୟତାରେ ଭାରତ 5 ନମ୍ବର ଓ ଇଂଲଣ୍ଡ 4 ନମ୍ବରରେ ରହିଛି । ସ୍ପେନ ବିପକ୍ଷ ମୁକାବିଲାରେ ଭାରତ ଘନ ଘନ ଆକ୍ରମଣ କରିବାରେ ସମର୍ଥ ହୋଇଥିଲା । ସ୍ପେନ ଖାତା ଖୋଲି ପାରିନଥିଲା । ମ୍ୟାଚର 13 ମିନିଟରେ ଗୋଲ ସ୍କୋର କରିବା ପରେ ଭାରତୀୟ ଟିମରେ ସମନ୍ବୟ ରହିଥିଲା ।
ପେନାଲ୍ଟି କର୍ଣ୍ଣର ପାଇବା ପରେ ଅମିତ ରୋହିଦାସ ତଥା ଓଡିଆ ଖେଳାଳି ପ୍ରଥମ ଗୋଲ କରିଥିଲେ । ଏହାପରେ ହାର୍ଦ୍ଦିକ ସିଂ ଦ୍ବିତୀୟ ଗୋଲ କରିଥିଲେ । ପରବର୍ତ୍ତୀ କ୍ବାର୍ଟରରେ ଭାରତ ଗୋଲ କରି ନଥିଲେ ବି ସ୍ପେନକୁ ଗୋଲ କରିବାକୁ ସୁଯୋଗ ମଧ୍ୟ ଦେଇନଥିଲେ । ଦମଦାର ଦଳଗତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେହିପରି ଆଜି ଇଂଲଣ୍ଡ ବିପକ୍ଷରେ ଏହି ପ୍ରଦର୍ଶନ ଦେଖାଇବାକୁ ହେବ । ନଚେତ ଶକ୍ତିଶାଳୀ ଦଳକୁ ହରାଇବା କଷ୍ଟକର ହେବ ।