ରାଉରକେଲା:ପୁରୁଷ ହକି ବିଶ୍ବକପକୁ ଆଉ ମାତ୍ର 18 ଦିନ ବାକି ରହିଛି । ଦିନ ଯେତିକି ପାଖଉଛି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢୁଛି । ହକି ବିଶ୍ବକପ ଅବସରରେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଜୁନିୟର ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ପ୍ରଥମ ଅଭ୍ୟାସ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଦକ୍ଷିଣ କୋରିଆକୁ 5-0 ଗୋଲରେ ପରାସ୍ତ କରିଛି ଭାରତ ।
ଉତ୍ତମ ସିଂଙ୍କ ନେତୃତ୍ବରେ ଭାରତୀୟ ଦଳ ଦକ୍ଷିଣ କୋରିଆ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି । ଆରମ୍ଭରୁ ଶେଷ ଯାଏ ଘରୋଇ ଦଳ ଆଧିପତ୍ୟ ବିସ୍ତାର କରିଥିଲା । ଦକ୍ଷିଣ କୋରିଆ ଖାତା ଖୋଲିପାରି ନଥିଲା । ଖେଳର 7ମ ମିନିଟରେ ଅବଦୁଲ ଅସଦ ପ୍ରଥମ ଗୋଲ ସ୍କୋର କରି ଖାତା ଖୋଲିଥିଲେ । ମ୍ୟାଚର 14 ଓ 41 ମିନିଟରେ ଲାଲାଜୀ ଆଦିତ୍ୟ ଏବଂ 42 ଓ 57 ମିନିଟରେ ଉତ୍ତମ ସିଂ ଗୋଲ କରିଥିଲେ । କୋରିଆ ଗୋଲ ପରିଶୋଧ କରିବାକୁ ପ୍ରୟାସ କରିଥିଲେ ବି ବିଫଳ ହୋଇଥିଲା । ରାଜନ ଏକ୍କା, ରାଜ କୁମାର ଝା, ନିଶାନ ମହାନ୍ତି ଏବଂ ପ୍ରଫୁଲ୍ଲ ତିର୍କୀ ଖେଳ ପରିଚାଳନା କରିଥିଲେ ।
ଏହି ଅଭ୍ୟାସ ମ୍ୟାଚ ବେଳେ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଆର୍ ଭିନିଲ କ୍ରୀଷ୍ଣା, ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଏବଂ ରାଉରକେଲା ଏସପି ମୁକେଶ ଭାମୁ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ପକ୍ଷରେ ହକି ଇଣ୍ଡିଆର ଉଚ୍ଚପଦସ୍ଥ ଅଧିକାରୀ ଆସି ହକି ମ୍ୟାଚ ଦେଖିବା ସହ ଷ୍ଟାଡିୟମ ପରିଦର୍ଶନ କରିଥିଲେ। ଆସନ୍ତା 27 ତାରିଖ ଯାଏ ଅଭ୍ୟାସ ମ୍ୟାଚ୍ ଖେଳାଯିବ ।