ବେଙ୍ଗାଲୁରୁ: ଫୁଲ ଫର୍ମରେ ଅଛି ଭାରତୀୟ ଫୁଟବଲ ଦଳ । ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଚମ୍ପିଆନ ହେବାପରେ ଭାରତ ସାଫ ଚମ୍ପିଆନସିପରରେ ତା'ର ଦମଦାର ପ୍ରଦର୍ଶନ କରିଛି । ଲଗାତାର ଦୁଇଟି ମ୍ୟାଚରେ ବିଜୟ ହାସଲ କରିଛି ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଫୁଟବଲ ଦଳ । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିବା ପରେ ଦ୍ବିତୀୟ ମ୍ୟାଚରେ ନେପାଳକୁ 2-0 ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଭାରତ ।
ଭାରତ ବନାମ ନେପାଳ:ସାଫ ଫୁଟବଲ ଚମ୍ପିଆନସିପ ପ୍ରତିଯୋଗିତାର 14ତମ ସଂସ୍କରଣରେ ଆୟୋଜକ ଭାରତ ଦ୍ବିତୀୟ ମୁକାବିଲାରେ ନେପାଳକୁ ଭେଟିଥିଲା । ଏହି ମ୍ୟାଚରେ ନେପାଳକୁ 2-0 ଗୋଲରେ ପରାସ୍ତ କରିଛି ଭାରତ । ଏହି ବିଜୟରେ ଅଧିନାୟକ ସୁନୀଲ ଛେତ୍ରୀ ଓ ଏମ ମହେଶ ସିଂହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗ୍ରୁପ-ଏରେ ଭାରତ ଲଗାତାର ଦୁଇଟି ମ୍ୟାଚ ଜିତି 6 ପଏଣ୍ଟ ସହ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି । ନେପାଳ ବିପକ୍ଷ ମ୍ୟାଚରେ 15 ମିନିଟରେ ଭାରତ ଗୋଲ କରିବାର ସୁଯୋଗ ପାଇ ହାତଛଡା କରିଥିଲା । ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା । ଦ୍ବିତୀୟାର୍ଦ୍ଧରେ 61ତମ ମିନିଟରେ ଭାରତର ଏମ ମହେଶ ସିଂହଙ୍କ ଏକ ପାସକୁ ଗୋଲରେ ପରିଣତ କରିଥିଲେ ସୁନୀଲ ଛେତ୍ରୀ । ଏହାପରେ ଭାରତ 1-0 ଗୋଲରେ ଆଗୁଆ ରହିଥିଲା । ନେପାଳ ଗୋଲ ପରିଶୋଧ କରିବାକୁ ସୁଯୋଗ ଖୋଜୁଥିଲା । 70ତମ ମିନିଟରେ ଭାରତ ଆଉ ଏକ ଗୋଲ କରିଥିଲା । ଏମ ମହେଶ ସିଂହ ଏହି ଗୋଲ କରିଥିଲେ । ଶେଷରେ ଭାରତ ମ୍ୟାଚକୁ 2-0 ଗୋଲରେ ଜିତି ନେଇଥିଲା ।
ସୁନୀଲ ଛେତ୍ରୀଙ୍କ 91ତମ ଗୋଲ:ନେପାଳ ବିପକ୍ଷରେ ଗୋଟିଏ ଗୋଲ କରିଛନ୍ତି ଭାରତୀୟ ଫୁଟବଲ ଅଧିନାୟକ ସୁନୀଲ ଛେତ୍ରୀ । ଏହାକୁ ମିଶାଇ ସେ ତାଙ୍କ କ୍ୟାରିଅରରେ ମୋଟ 139 ମ୍ୟାଚ ଖେଳି 91ଟି ଗୋଲ କରିବାରେ ସଫଳ ହୋଇଛନ୍ତି । ଇରାନର ଅଲ୍ଲୀ ଦେଇଙ୍କ ପରେ (148 ମ୍ୟାଚରେ 109 ଗୋଲ) ଛେତ୍ରୀ ଦ୍ବିତୀୟ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରର ସହ ତୃତୀୟ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରର ବିବେଚିତ ହୋଇଛନ୍ତି ।