ମସ୍କାଟ୍:ମହିଳା ଏସିଆ କପ ହକି ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି ଭାରତ । ଶୁକ୍ରବାର ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍ରେ ଚାଇନାକୁ ୨-୦ ଗୋଲ୍ରେ ହରାଇ ଭାରତ ବ୍ରୋଞ୍ଜ ମେଡାଲ ବିଜେତା ହୋଇଛି । କୋରିଆ ବିପକ୍ଷ ସେମିଫାଇନାଲ ମ୍ୟାଚ୍ର ପରାଜୟକୁ ଭୁଲି ଭାରତୀୟ ଟିମ ବ୍ରୋଞ୍ଜ ମେଡାଲ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଥିଲା । ପ୍ରଥମ ଦୁଇଟି କ୍ବାର୍ଟରରେ ମ୍ୟାଚ୍କୁ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖିବା ସହ ଦୁଇଟି ଗୋଲ୍ କରିଥିଲା । ପଳରେ ହାଫ୍ ଟାଇମ ସୁଦ୍ଧା ଚାଇନା ବିପକ୍ଷରେ ୨-୦ରେ ଆଗୁଆ ରହିଥିଲା । ତେବେ ମ୍ୟାଚ୍ର ଦ୍ବିତୀୟାର୍ଦ୍ଧରେ କୌଣସି ଗୋଲ୍ କରିବାକୁ ସମର୍ଥ ହୋଇନଥିଲା ଭାରତୀୟ ଟିମ ।
ଚାଇନା ଖେଳାଳି ଗୋଲ୍ କରିବାକୁ ସମସ୍ତ ଜୋର୍ ଲଗାଇଥିଲେ ମଧ୍ୟ ସଫଳ ହୋଇନଥିଲେ । ଭାରତୀୟ ଟିମର କ୍ୟାପେଟନ ତଥା ଅଭିଜ୍ଞ ଗୋଲ୍କିପର ସବିତା ପୁନିଆ ଚାଇନାର ସମସ୍ତ ପ୍ରୟାସକୁ ବିଫଳ କରିଥିଲେ । ମ୍ୟାଚ୍ର ଶେଷ ଭାଗରେ ଚାଇନା ଖେଳାଳି ୩ଟି ପେନାଲିଟି କର୍ଣ୍ଣର ଲାଭ କରିଥିଲେ । ଫଳରେ ମ୍ୟାଚ୍ର ଫଳାଫଳ ବଦଳିବା ସମ୍ଭାବନା ସୃଷ୍ଟି ହୋଇଥିଲା । ତେବେ ଗୋଲ୍ରେ ପରିଣତ ନ କରିପାରିବାରୁ ଭାରତ ୨-୦ରେ ବିଜୟୀ ହୋଇଥିଲା । ଜାପାନ ଓ କୋରିଆ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ ।
ଏହାମଧ୍ୟ ପଢନ୍ତୁ: ରଣଜୀ ଟ୍ରଫି ପାଇଁ BCCIର ଗ୍ରୀନ ସିଗନାଲ୍, ଏଥର ଦୁଇଟି ପର୍ଯ୍ୟାୟ