ନୂଆଦିଲ୍ଲୀ:ରାତି ପାହିଲେ ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ ଖେଳ ।୧୨୭ଜଣିଆ ଭାରତୀୟ ଟିମ ଟୋକିଓ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିବେ । କୋଭିଡ୍ର ପ୍ରତିକୂଳ ପରିସ୍ଥିତିରେ ପ୍ରସ୍ତୁତି ଓ ମାନସିକ ସ୍ବାସ୍ଥ୍ୟକୁ ସଠିକ୍ ରଖିବା ସହ ଅଲମ୍ପିକରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ହୋଇଛନ୍ତି ଖେଳାଳି । ତେବେ ଭାରତୀୟ ଖେଳାଳିଙ୍କ ଠାରୁ ଚଳିତ ଥର ଅଧିକ ଅଲମ୍ପିକ୍ସ ମେଡାଲ ଆଶା ରଖିଛନ୍ତି ଦେଶବାସୀ ।
ଅଲମ୍ପିକ ଭିଲେଜରେ କୋଭିଡ ପହଞ୍ଚିସାରିଥିବାବେଳେ, ଖେଳାଳିମାନଙ୍କୁ ଏକ ଭୟଭୀତ ପରିବେଶରେ ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ଯାଞ୍ଚର ସାମ୍ନା କରିବାକୁ ହେବ । ଭେନ୍ୟୁରେ କୌଣସି ଦର୍ଶକ ଉପସ୍ଥିତ ରହିବେ ନାହିଁ । ଜାପାନବାସୀଙ୍କ ପାଇଁ ଏହି ନିଷ୍ପତ୍ତି ସନ୍ତୋଷଜନକ ନୁହେଁ ଜାଣିବା ସତ୍ତ୍ବେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି(IOC) ଜାପାନ ସରକାର ଏହି ମେଗା ଇଭେଣ୍ଟ ଆୟୋଜନ କରୁଛନ୍ତି ।
ଦୀର୍ଘ ୫ ବର୍ଷ ଧରି କଠିନ ପରିଶ୍ରମ କରି ଅଲମ୍ପିକ ଟିକେଟ ହାତେଇଥିବା ଆଥଲେଟ୍ସଙ୍କ ପାଇଁ ଏହା ପରୀକ୍ଷାର ସମୟ । ସମସ୍ତେ ଶ୍ରେଷ୍ଠ ପ୍ରଦର୍ଶନ ସହ ନିଜ ଦେଶ ପାଇଁ ମେଡାଲ ହାସଲ ଲକ୍ଷ୍ୟରେ ରହିଛନ୍ତି ।
ଭାରତ ରେକର୍ଡ ସଂଖ୍ୟକ ଆଥଲେଟ୍ସ ଅଲମ୍ପିକକୁ ପଠାଇଥିବାରୁ ଦେଶ ତମାମରୁ ଏଥର ଅଧିକ ଆଶା ରହିଛି । ୧୦୦ ବର୍ଷରୁ ଅଧିକ ସମୟ ଧରି ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ ମଧ୍ୟ, ଦେଶର ଅଲମ୍ପିକ ରେକର୍ଡ କିଛି ଖାସ୍ ରହିନାହିଁ । ୧୦୦ କୋଟିରୁ ଅଧିକ ଜନସଂଖ୍ୟାର ବୃହତ ଦେଶ ଭାରତ ମାତ୍ର ୨୮ଟି ଅଲମ୍ପିକ୍ସ ନିଜ ନାମରେ କରିପାରିଛି ।