ନୂଆଦିଲ୍ଲୀ:ଡେନମାର୍କରେ ଚାଲିଥିବା ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଭାରତୀୟ ଷ୍ଟାର ସଟଲର ପ୍ରଣୟଙ୍କ ସ୍ବର୍ଣ୍ଣ ପଦକ ହାସଲ ସ୍ବପ୍ନ ଧୂଳିସାତ ହୋଇଛି । ଭାରତୀୟ ତାରକା ଏଚଏସ ପ୍ରଣୟ ସେମିଫାଇନାଲରେ ପରାସ୍ତ ହୋଇ ବ୍ରୋଞ୍ଚ ପଦକ ଜିତିଛନ୍ତି । କାଂସ୍ୟ ଜିତି ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଆନସିପରେ ଅଭିଯାନ ଶେଷ କରିଛନ୍ତି । ଏହା ସହିତ ପୁରୁଷ ସିଙ୍ଗଲ ବର୍ଗରେ ପଞ୍ଚମ ଭାରତୀୟ ଭାବେ ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଆନସିପରେ ପଦକ ଜିତିଛନ୍ତି ପ୍ରଣୟ ।
ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଏକକ ପ୍ରତିଯୋଗିତାରେ ସେମିଫାଇନାଲ ମୁକାବିଲାରେ ଏଚଏସ ପ୍ରଣୟ ଥାଇଲାଣ୍ଡର କୁନଲାବୁତ ବିତିସାର୍ଣ୍ଣଙ୍କଠୁ ଭେଟିଥିଲେ । ଦୁଇ ଜଣଙ୍କ ମଧ୍ୟରେ ଏକ କଡା ମୁକାବିଲା ହୋଇଥିଲା । ଥାଇଲାଣ୍ଡ ସଟଲର କୁନଲାବୁତ 21-18,13-21,14-21ରେ ପ୍ରଣୟଙ୍କୁ ପରାସ୍ତ କରିଥିଲେ । ଫଳରେ ଫାଇନାଲ ଖେଳିବାକୁ ବଞ୍ଚିତ ହୋଇଛନ୍ତି ପ୍ରଣୟ । ପ୍ରଥମ ଗେମ ଜିତିଥିଲେ ମଧ୍ୟ ଦ୍ବିତୀୟ ଗେମରେ ପ୍ରଣୟ ଭଲ ପ୍ରଦର୍ଶନ କରିନଥିଲେ ।
ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପରେ ଭାରତର ଅଭିଜ୍ଞ ଖେଳାଳି ଏଚଏସ ପ୍ରଣୟ କ୍ବାର୍ଟର ଫାଇନାଲ ମୁକାବିଲାରେ ବିଶ୍ବର ଏକ ନମ୍ବର ଖେଳାଳି ଭିକ୍ଟର ଆକ୍ସଲସେନଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ । ପୁରୁଷ ବର୍ଗର ନବମ ସିଡ ପ୍ରଣୟ 13-21,21-15,21-16ରେ ଟପ ସିଡି ଡେନମାର୍କରେ ଆକ୍ସଲସେନଙ୍କୁ ପରାସ୍ତ କରି ପଦକ ପକ୍କା କରିଥିଲେ । ଏହି କ୍ବାର୍ଟର ଫାଇନାଲ ମ୍ୟାଚ ଜିତିବାକୁ ତାଙ୍କୁ 69ମିନିଟ ଲାଗିଥିଲା । ମାତ୍ର ସେମିଫାଇନାଲରେ ନିରାଶ ହୋଇଛନ୍ତି ପ୍ରଣୟ । ଥାଇଲାଣ୍ଡର କୁନଲାବୁତ ବିତିସାର୍ଣ୍ଣଙ୍କଠୁ ପରାସ୍ତ ହୋଇ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ପ୍ରଣୟ ।