ଭୁବନେଶ୍ବର:ଆଜି କମ୍ପିବ କଳିଙ୍ଗ । ଛାଇ ଯିବ ତ୍ରିରଙ୍ଗା । ଇଣ୍ଡିଆ ଇଣ୍ଡିଆ ଚିଅରଅଫରେ ଫାଟି ପଡିବ ଚତୁଃପାର୍ଶ୍ବ । କିଏ ମାରିବ ବାଜି ତାକୁ ନେଇ ହକିପ୍ରେମୀଙ୍କ ମନରେ ଉତ୍କଣ୍ଠା । ରାଜଧାନୀ ଭୁବନେଶ୍ବର ଓ ରାଉରକେଲାରେ FIH ପୁରୁଷ ହକି ବିଶ୍ବକପ ଜାରି ରହିଛି । ଆଜି ସପ୍ତମ ଦିନରେ ପହଞ୍ଚିଛି ପୁରୁଷ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ଆଜି (ଗୁରୁବାର) ମୋଟ 4ଟି ମ୍ୟାଚ ଖେଳାଯିବ ।
କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ୱେଲ୍ସ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ପୁଲ ସିରେ ମାଲେସିଆ ବନାମ ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡସ ବନାମ ଚିଲି ଓ ପୁଲ ଡିରେ ସ୍ପେନ ବନାମ ଇଂଲଣ୍ଡ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଷ୍ଟାର୍ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି.କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ । ରାତି 7ଟାରେ ଭାରତ ଓ ୱେଲ୍ସ ମ୍ୟାଚ ହେବ ।
ଭାରତ ତାର ପ୍ରଥମ ମୁକାବିଲାରେ ସ୍ପେନ ବିପକ୍ଷରେ ବିଜୟ ହାସଲ କରିଥିଲା । 2-0 ଗୋଲରେ ସ୍ପେନକୁ ପରାସ୍ତ କରିଥିଲା । ଏହା ପରେ ଦ୍ବିତୀୟ ମୁକାବିଲେ ଇଂଲଣ୍ଡକୁ ଭେଟିଥିବା ଭାରତ । ଉକ୍ତ ମ୍ୟାଚଟି 0-0ରେ ଡ୍ର ହୋଇଥିଲା । ଆଜି ୱେଲ୍ସ ବିପକ୍ଷରେ କଳିଙ୍ଗରେ କଡ୍ଡା ଟକ୍କର ଦେବ ଭାରତ । ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିବାକୁ ହେଲେ ଭାରତକୁ ବଡ ସ୍କୋର କରି ଜିତିବାକୁ ହେବ ।
ଭାରତକୁ ବିଶେଷ କରି ପେନାଲ୍ଟି କର୍ଣ୍ଣର ଉପରେ ଫୋକସ କରିବାକୁ ହେବ । ୱେଲ୍ସ ବିପକ୍ଷରେ ଘରୋଇ ଭାରତ ମ୍ୟାଚକୁ ବୃହତ ବ୍ୟବଧାନରେ ଜିତି ସିଧାସଳଖ କ୍ବାର୍ଟର ପାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଗତ ଦୁଇଟି ମ୍ୟାଚରେ ଭାରତ ପେନାଲ୍ଟି କର୍ଣ୍ଣର ମିସ କରିଥିଲା । ଆଜି ସେ ସମସ୍ତ ତ୍ରୁଟି ସୁଧାରି ପଡିଆକୁ ଓହ୍ଲାଇବ ଦଳ ।