ଭୁବନେଶ୍ବର :ସେମିଫାଇନାଲରେ ସ୍ଥାନ ପକ୍କା କଲା ଜର୍ମାନୀ । ଇଂଲଣ୍ଡକୁ ମାତ୍ ଦେଇ ସେମିଫାଇନାଲ ଟିକଟ ହାତେଇଛି ଜର୍ମାନୀ । ପେନାଲ୍ଟି ସୁଟ ଆଉଟରେ ଜର୍ମାନୀ ୪-୩ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି । ଆଜି (ବୁଧବାର) କ୍ବାର୍ଟର ଫାଇନାଲର ତୃତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ ବନାମ ଜର୍ମାନୀ । ଏହି ମ୍ୟାଚର ନିର୍ଦ୍ଧାରିତ ସମୟରେ ଉଭୟ ଦଳର ଗୋଲ ୨-୨ରେ ବରାବର ରହିଥିଲା । ଏହା ପରେ ପେନାଲ୍ଟି ସୁଟ୍ ଆଉଟ ମ୍ୟାଚ ହୋଇଥିଲା । ସେଥିରେ ଜର୍ମାନୀ ୪-୩ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି ।
ହକି ବିଶ୍ବକପ ୨୦୨୩ କ୍ବାର୍ଟର ଫାଇନାଲର ତୃତୀୟ ମ୍ୟାଚ । ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ ବନାମ ଜର୍ମାନୀ । କଳିଙ୍ଗ ଷ୍ଟାଡିୟମରେ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ । ସେମିଫାଇନାଲ ଟିକଟ ହାତେଇବା ପାଇଁ ଉଭୟ ଦଳ ମଧ୍ୟରେ ଲାଗିଥିଲା ଘୋମାଘୋଟ ଲଢେଇ । ଉଭୟ ଦଳ ଗୋଲ ପାଇଁ ଫୁଲ ଜୋଶରେ ଖେଳିଥଲେ । ପ୍ରଥମାର୍ଦ୍ଧରେ ଇଂଲଣ୍ଡ ଟିମ ଜର୍ମାନୀ ଉପରେ ଭାରି ପଡିଥିଲା । ମ୍ୟାଚର ପ୍ରଥମାର୍ଦ୍ଧରେ ଇଂଲଣ୍ଡ ଗୋଟିଏ ଗୋଲ ଦେଇଥିବା ବେଳେ ଜର୍ମାନୀ ଗୋଟିଏ ବି ଗୋଲ କରିବାରେ ସକ୍ଷମ ହୋଇନଥିଲା । ମ୍ୟାଚର ୧୨ ମିନିଟରେ ଇଂଲଣ୍ଡର ଜଚାରୀ ୱାଲେସ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲେ ।