ଭୁବନେଶ୍ବର:ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଛନ୍ତି ଭାରତୀୟ ହକି ଟିମର ଅଭିଜ୍ଞ ମିଡ୍ଫିଲ୍ଡର ତଥା ଓଡିଆ ଝିଅ ଲିଲିମା ମିଞ୍ଜ । ଭାରତୀୟ ମହିଳା ହକିିକୁ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇ ଥରର ଏସିଆନ ଗେମ୍ସ ପଦକ ବିଜେତା ଲିଲିମାଙ୍କୁ ହକି ଇଣ୍ଡିଆ ଧନ୍ୟବାଦ ଜଣାଇଛି ।
ବର୍ଷ ୨୦୧୧ରେ ଆର୍ଜେଣ୍ଟିନାରେ ଆୟୋଜିତ ଚାରିଦେଶୀୟ ମହିଳା ହକି ଟୁର୍ନାମେଣ୍ଟରେ ଲିଲିମା, ଜାତୀୟ ଟିମରେ ଡେବ୍ୟୁ କରିଥିଲେ । ଏହାପରେ ସେ ପଛକୁ ଫେରି ଚାହିଁନାହାନ୍ତି । ପ୍ରଭାବୀ ପ୍ରଦର୍ଶନ ସହ ଜାତୀୟ ମହିଳା ହକି ଟିମର ଅନ୍ୟତମ ପ୍ରମୁଖ ସଦସ୍ୟ ହୋଇ ମହିଳା ହକି ଟିମର ଅନେକ ସ୍ମରଣୀୟ ବିଜୟର ଅଂଶ ରହିଛନ୍ତି ।
ହକିର ଏନ୍ତୁଡିଶାଳ ସୁନ୍ଦରଗଡର ଷ୍ଟାର ମିଡ୍ଫିଲ୍ଡର ଲିଲିମା, ଭାରତକୁ ୧୫୬ଟି ମ୍ୟାଚ୍ରେ ପ୍ରତିନିଧିତ୍ବ କରିଛନ୍ତି ଓ ୧୨ଟି ଦମଦାର ଗୋଲ୍ ତାଙ୍କ ନାମରେ ରହିଛି । ଏସିଆନ ଗେମ୍ସ ୨୦୧୪ରେ କାଂସ୍ୟ ପଦକ, ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ଓ ବର୍ଷ ୨୦୧୯ରେ ହିରୋସିମାରେ ଖେଳାଯାଇଥିବା FIH ମହିଳା ସିରିଜ ଫାଇନାଲ୍ସରେ ସ୍ବର୍ଣ୍ଣ ପଦକ ବିଜେତା ରହିଛନ୍ତି ।
ରିଓ ଅଲମ୍ପିକ୍ ୨୦୧୬ରେ ଐତିହାସିକ ଭାରତୀୟ ଟିମର ସଦସ୍ୟ ରହିଥିଲେ ଲିଲିମା । ୩୬ ବର୍ଷ ପରେ ଭାରତୀୟ ମହିଳା ହକି ଟିମ ଅଲମ୍ପିକ୍ ପାଇଁ ପ୍ରଥମ ଥର ଯୋଗ୍ୟତା ଅର୍ଜନ କରିଥିଲା । ଏଥିସହ ଷ୍ଟାର ମିଡଫିଲ୍ଡର ଲିଲିମା, ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ FIH ହକି ଅଲମ୍ପିକ୍ କ୍ବାଲିଫାୟର୍ସ ୨୦୧୯ ଦ୍ବାରା ଟୋକିଓ ଅଲମ୍ପିକ୍ ଭାରତୀୟ ଟିମରେ ରିଜର୍ଭ ଖେଳାଳି ଭାବେ ମଧ୍ୟ ସ୍ଥାନ ପାଇଥିଲେ ।
ଏହାମଧ୍ୟ ପଢନ୍ତୁ: India Open: ଇରାଙ୍କୁ ହରାଇ ତୃତୀୟ ରାଉଣ୍ଡରେ ସିନ୍ଧୁ
ଲିଲିମାଙ୍କ ସଫଳ କ୍ୟାରିୟର ପାଇଁ ଶୁଭେଚ୍ଛା ଜଣାଇ ହକି ଇଣ୍ଡିଆ ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ନିଙ୍ଗୋମ୍ବାମ ଏକ ବିବୃତିରେ କହିଛନ୍ତି, "ସଫଳତମ କ୍ୟାରିୟରରେ ଭାରତୀୟ ହକିକୁ ଲିଲିମାଙ୍କ ବଡ ଯୋଗଦାନ ରହିଛି, ତାଙ୍କର ପ୍ରଦର୍ଶନ ପାଇଁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ । ଗତ କିଛି ବର୍ଷ ଧରି ଭାରତୀୟ ମହିଳା ହକି ଟିମର ଉନ୍ନତି ଦିଗରେ ତାଙ୍କର ବିଶେଷ ଭୂମିକା ରହିଆସିଛି । ତାଙ୍କର ଦମଦାର କ୍ୟାରିୟର ପାଇଁ ହକି ଇଣ୍ଡିଆ ଶୁଭେଚ୍ଛା ଜଣାଉଛି ଓ ଜୀବନର ପରବର୍ତ୍ତୀ ଅଧ୍ୟାୟ ପାଇଁ ଅନେକ ଶୁଭକାମନା ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ