ନୂଆଦିଲ୍ଲୀ:ପୁଣି ପଡିଆରେ ଛାଇଯିବେ ପ୍ରିୟ ହକି ଖେଳାଳି । ସମର୍ଥନ ଦଳର ଚିୟରଅଫରେ କମ୍ପିବ ମଇଦାନ । ହକିପ୍ରେମୀଙ୍କ ପାଇଁ ଖୁସି ଖବର ଆସିଛି । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ । ଏ ନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । 6 ବର୍ଷ ପରେ ପୁଣି ହକି ଇଣ୍ଡିଆ ଲିଗ ଆୟୋଜନ ହେବ । ଆସନ୍ତା ବର୍ଷ ହକି ଇଣ୍ଡିଆ ଲିଗ୍ ଆୟୋଜନ କରିବାକୁ ଯୋଜନା ହେଉଛି । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏହି ପ୍ରତିଯୋଗିତା ନେଇ ପ୍ରଥମ ପଦକ୍ଷେପ ଆକାରରେ କମର୍ସିଆଲ ଓ ମାର୍କେଟିଂ ଏଜେନ୍ସିଂ ବିଗ ବ୍ୟାଙ୍କ ମିଡିଆ ଭେଞ୍ଚର୍ସ ପ୍ରୋ ଲିଗକୁ ତାର ପାର୍ଟନର ଭାବେ ଚନୟ କରିଛନ୍ତି ।
ହକି ଇଣ୍ଡିଆ ଲିଗ (HIL)ର 5ଟି ସଫଳ ସଂସ୍କରଣ ପରେ 2017ରୁ ଏହା ବନ୍ଦ ରହିଛି । ହକିପ୍ରେମୀଙ୍କ ପାଇଁ ଏହା ଏକ ଖୁସିର ବିଷୟ ଯେ ଏହା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । 2023 ଶେଷ ଆଡକୁ କିମ୍ବା 2024ରେ ଲିଗ୍ ଆରମ୍ଭ ହୋଇପାରେ, ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । 2024ରେ ହକି ଇଣ୍ଡିଆ ଲିଗ ଅନୁଷ୍ଠିତ ହେବା ସମ୍ଭାବନା ଅଧିକ ରହିଛି । ହକି ଇଣ୍ଡିଆ ଲିଗ କ୍ରୀଡାସୂଚୀ, ଫର୍ମାଟ ଓ ଭେନ୍ୟୁ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି । ନୂଆ ରୂପରେ 6 ବର୍ଷ ପରେ ପୁଣି ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍ ।