ରାଉରକେଲା: ନିଜର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ଭାରତୀୟ ହକି ତାରକା ମନଦୀପ ସିଂହ । ତାଙ୍କର ଏହି ସଫଳତା ପାଇଁ ହକି ଇଣ୍ଡିଆ ଶନିବାର ମନଦୀପ ସିଂହଙ୍କୁ ଶୁଭେଚ୍ଛା ଜଣାଇଛି । ମନଦୀପ ଏହି ଉପଲବ୍ଧି ଆଜି ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବନାମ ଭାରତ ମ୍ୟାଚରେ ହାସଲ କରିଛନ୍ତି । ଭାରତ ଏହି କ୍ଲାସିଫିକେସନ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୨ ଗୋଲରେ ପରାସ୍ତ କରିଛି ।
ପଞ୍ଜାବର ଜଳନ୍ଧରବାସୀ ମନଦୀପ ସିଂହ ଭାରତୀୟ ହକି ଟିମ୍ରେ ସାମିଲ ହେବାରେ ସବୁଠୁ କମ ବୟସର ଖେଳାଳି ରହିଥିଲେ । ସେ ବର୍ଷ ୨୦୧୩ରେ ନୂଆଦିଲ୍ଲୀରେ ହକି ବିଶ୍ବଲିଗ୍ ରାଉଣ୍ଡ ୨ରେ ହକି ଇଣ୍ଡିଆ ସିନିୟର ଟିମରେ ପଦାର୍ପଣ କରିଥିଲେ । ସେହିପରି ମନଦୀପ ସିଂହ ବର୍ଷ ୨୦୧୬ ପୁରୁଷ ହକି ଜୁନିଅର ବିଶ୍ବକପରେ ଭାରତୀୟ ଜୁନିଅର ଟିମ୍ରୁ ଜଣେ ପ୍ରଭାବଶାଳୀ ସଦସ୍ୟ ମଧ୍ୟ ରହିଥିଲେ । ସେ ୨୦୧୬ FIH ଚମ୍ପିଆନ୍ସ ଟ୍ରଫିରେ ସିନିୟର ଟିମ୍ର ସଦସ୍ୟ ରହି ଭାରତକୁ ରୌପ୍ୟ ପଦକ ଭେଟି ଦେଇଥିଲେ । ଏବେ ମନଦୀପ ସିଂହ ଜଣେ ହକି ଇଣ୍ଡିଆ ସିନିୟର ଟିମର ଦମଦାର ଖେଳାଳି ଭାବରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି । ସେହିପରି ବର୍ଷ ୨୦୧୭ ରେ ହିରୋ ପୁରୁଷ ଏସିଆ କପରେ ସ୍ବର୍ଣ୍ଣ ପଦକ, ବର୍ଷ ୨୦୧୭ରେ ଓଡିଶା ପୁରୁଷ ହକି ବିଶ୍ବ ଲିଗ ଫାଇନାଲ ଭୁବନେଶ୍ବରରେ ବ୍ରୋଞ୍ଜ ପଦକ, FIH ପୁରୁଷ ଚମ୍ପିଆନ୍ସ ଟ୍ରଫି ୨୦୧୮ରେ ରୌପ୍ୟ ପଦକ ସହିତ ୨୦୧୮ ଏସିଆ ଚମ୍ପିଆନ୍ସ ଟ୍ରଫିରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ଟିମର ସଦସ୍ୟ ରହିଛନ୍ତି ଜଳନ୍ଧରର ତାରକା ମନଦୀପ ସିଂହ ।
2020 ଟୋକିଓ ଅଲମ୍ପିକ ଗେମ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଏହି ଟିମ୍ର ସଦସ୍ୟ ଥିଲେ ୨୮ ବର୍ଷୀୟ ଷ୍ଟାର ହକି ଖେଳାଳି ମନଦୀପ ସିଂହ । ଏହି ମ୍ୟାଚରେ ମଧ୍ୟ ଭାରତ ତରଫରୁ ପ୍ରତିନିଧିତ୍ବ କରିଥିଲେ ମନଦୀପ ସିଂହ । ତାଙ୍କର ଆକ୍ରମକ ପ୍ରଦର୍ଶନ ଭାରତକୁ FIH ହକି ପ୍ରୋ ଲିଗ ୨୦୨୧-୨୨ ରେ ଭାରତକୁ ତୃତୀୟ ସ୍ଥାନରେ ରହିବାରେ ସହାୟକ ହୋଇଥିଲା । ଏହାପରେ ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ଦଳର ସଦସ୍ୟ ରହିଥିଲେ । ତେବେ ଖେଳ ପ୍ରତି ତାଙ୍କର ଉତ୍ସର୍ଗ ଓ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ମନଦୀପ ସିଂହଙ୍କୁ ୨୦୨୧ରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ତେବେ ମନଦୀପ ସିଂହଙ୍କର ଏହି ମାଇଲଷ୍ଟୋନ ପରେ ସେ କହିଛନ୍ତି "ଏହି ଉପଲବ୍ଧି ମୋତେ ମନେପକାଇ ଦେଉଛି କି ମଁ ହକି ଦୁନିଆରେ ଏକ ଲମ୍ବା ଯାତ୍ରା କରିଛି । ଏହି ଯାତ୍ରାରେ ମୁଁ ବହୁତ ସଂଘର୍ଷ କରିଛି । ବହୁ କଠିନ ପରିସ୍ଥିତିକୁ ସାମ୍ନା କରିଛି । ଭାରତ ପାଇଁ ଖେଳିଥିବା ସମସ୍ତ ମ୍ୟାଚକୁ ମଁ ବେଶ୍ ଉପଭୋଗ କରିଛି । ଏହି ଦୀର୍ଘ ଦିନର ଯାତ୍ରା ମୋ ପାଇଁ ସବୁବେଳେ ସ୍ବତନ୍ତ୍ର ଓ ସ୍ମରଣୀୟ ହୋଇ ରହିବ । ଏଥିପାଇଁ ମୁଁ ହକି ଇଣ୍ଡିଆର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଉଛି ।" ସେପଟେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କି ମନଦୀପଙ୍କର ଏହି ଉପଲବ୍ଧିକୁ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି "ମୁଁ ମନଦୀପ ସିଂହଙ୍କୁ ଭାରତ ପାଇଁ ୨୦୦ ଅନ୍ତର୍ଜାତୀୟ ମ୍ୟାଚ ପୁରା କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ମନଦୀପଙ୍କ ପାଇଁ ଏହା ଅବିଶ୍ବସନୀୟ ଉପଲବ୍ଧି ।"