ନୂଆଦିଲ୍ଲୀ:ଆସନ୍ତା 27 ତାରିଖକୁ ରାଞ୍ଚିରେ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ଅନୁଷ୍ଠିତ ହେବ । ଏନେଇ ହକି ଇଣ୍ଡିଆ 20 ଜଣିଆ ମହିଳା ଦଳ ଘୋଷଣା କରିଛି । ସବିତା ପୁନିଆଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ମହିଳା ହକି ଦଳ । ଓଡ଼ିଶାର ହକି ତାରକା ଦୀପଗ୍ରେସ ଏକ୍କା ଉପଅଧିନାୟିକା ଦାୟିତ୍ବ ତୁଲାଇବେ । ନଭେମ୍ବର 5 ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବ ।
ଏହି ପ୍ରତିଯୋଗିତାରେ 6ଟି ଦେଶ ଭାଗ ନେବେ । ଭାରତକୁ ମିଶାଇ ନିକଟରେ 19ତମ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ଚୀନ, ରୌପ୍ୟ ପଦକ ଜିତିଥିବା କୋରିଆ, ମାଲେସିଆ, ଜାପାନ ଏବଂ ଥାଇଲାଣ୍ଡ ଏହି ଚମ୍ପିଆନ୍ସ ଟ୍ରଫିରେ ଭାଗ ନେବେ । ରାଉଣ୍ଡ ରବିନ ଲିଗ୍ ଭିତ୍ତିରେ ସମସ୍ତ ମ୍ୟାଚ୍ ଖେଳାଯିବ । ଅକ୍ଟୋବର 27 ତାରିଖରୁ ଭାରତ ଥାଇଲାଣ୍ଡ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।
ଭାରତ 28 ତାରିଖରେ ମାଲେସିଆ, 30ରେ ଚୀନ, 31ରେ ଜାପାନ ଓ ନଭେମ୍ବର 2 ତାରିଖରେ କୋରିଆ ବିପକ୍ଷରେ ଖେଳିବ । 20 ଜଣିଆ ଭାରତୀୟ ଦଳରେ ସବିତା ପୁନିଆ ଓ ବିଛୁ ଦେବୀଙ୍କ ନାମ ଗୋଲକିପର ଭାବେ ରହିଛି । ଭାରତୀୟ ମହିଳା ହକି ଦଳର ମୁଖ୍ଯ କୋଚ ଜାନ୍ନକେ ସ୍କୋପମ୍ୟାନ କହିଛନ୍ତି ଲୟ ଜାରି ରଖିବାକୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ଘରୋଇ ମାଟିରେ ଭାରତ ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ।