ଭୁବନେଶ୍ବର: ବିଶ୍ବର ନମ୍ବର ୧ ପାରା-ବ୍ୟାଡମିଣ୍ଟନ ଖେଳାଳି ତଥା ଟୋକିଓ ପାରାଲମ୍ପିକ୍ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ସୋମବାର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଠାରୁ ଏକ ସ୍ନେହର ଉପହାର ପାଇଛନ୍ତି ପ୍ରମୋଦ । ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଯେଉଁ ଜର୍ସି ପିନ୍ଧି ନିଜର ୨୦୦ତମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ, କୋରିଅର ଯୋଗେଁ ତାହାକୁ ଭଗତଙ୍କ ନିକଟକୁ ଉପହାର ଭାବେ ପଠାଇଛନ୍ତି ।
ଏହି ଟି-ସାର୍ଟରେ ସଚିନଙ୍କ ଅଟୋଗ୍ରାଫ ସହିତ ସ୍ପେଶାଲ ମେସେଜ୍ ମଧ୍ୟ ରହିଛି । ସଚିନ ଲେଖିଛନ୍ତି, "ସ୍ନେହର ପ୍ରମୋଦ, ତୁମ ପାଇଁ ସାରାଦେଶ ଗର୍ବିତ, ସର୍ବଦା ଏମିତି ଚମକୁଥାଅ ।"
ଉପହାର ଗ୍ରହଣ କରିସାରିବା ପରେ ପାରା ସର୍ଟଲର ପ୍ରମୋଦ ଉତ୍ସାହିତ ହେବାସହ ଟ୍ବିଟ ଯୋଗେଁ ଆଦର୍ଶ ସଚିନଙ୍କ ଉଦ୍ଦେଶ୍ୟରେ ଆବେଗପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି । ସୁନ୍ଦର ଉପହାର ପାଇଁ ପ୍ରମୋଦ, ସଚିଙ୍କୁ ଧନ୍ୟବାଦ ଜଣାଇବା ସହିତ ଖୁସିକୁ ଶବ୍ଦରେ ବୟାନ କରିବା କଷ୍ଟ ବୋଲି ଲେଖିଛନ୍ତି ।