ଭୁବନେଶ୍ବର: FIFA ୧୭ ବର୍ଷରୁ କମ ମହିଳା ବିଶ୍ବକପ ୨୦୨୨(Under-17 women's world cup) ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ-୦ରେ ବଡ ବ୍ୟବଧାନରେ ଆମେରିକା ଠାରୁ ପରାସ୍ତ ହୋଇଛି । ତେବେ ଏହି ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଭାରତୀୟ ଟିମ କୋଚ୍ ଥୋମାସ ଡେନର୍ବେ । ମ୍ୟାଚ୍ ପ୍ରଦର୍ଶନ ନେଇ କୋଚ୍ ଡେନର୍ବେ କହିଛନ୍ତି, "ଡେବ୍ୟୁ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ମ୍ୟାଚ୍ ସମୟର ଚାପ ନିଯନ୍ତ୍ରଣ କରିବାକୁ ସମର୍ଥ ହୋଇପାରିନଥିଲେ ଭାରତୀୟ ଖେଳାଳି । ଏଥିସହ ମ୍ୟାଚ୍ର ପ୍ରଥମାର୍ଦ୍ଧରେ ପ୍ରାରମ୍ଭିକ ତ୍ରୁଟି ସଂପୂର୍ଣ୍ଣ ମ୍ୟାଚ୍ରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।"
ଭାରତୀୟ ୧୭ ବର୍ଷରୁ କମ ମହିଳା ବିଶ୍ବକପ ଟିମ ସେ ଆହୁରି ମଧ୍ୟ କହିଛନ୍ତି ଯେ, "ପ୍ରତିପକ୍ଷ ଟିମ ସାମ୍ନାରେ ଭାରତୀୟ ଖେଳାଳି ସାମାନ୍ୟ ନର୍ଭସ ଅନୁଭବ କରିଥିଲେ । ବିଶ୍ବକପରେ ଏହା ସେମାନଙ୍କର ପ୍ରଥମ ମ୍ୟାଚ୍ ହୋଇଥିବାରୁ ମ୍ୟାଚ୍ ପ୍ରେସର ହ୍ୟାଣ୍ଡେଲ୍ କରିପାରିଲେ ନାହିଁ । ଆମେରିକା ଭଳି ପ୍ରତିପକ୍ଷ ଟିମ ସାମ୍ନାରେ ନିଜର ଇମୋସନ ନିୟନ୍ତ୍ରଣରେ ରଖିବା ବିଲକୁଲ ସହଜ ନୁହେଁ । ଆମର ଏହା ଶ୍ରେଷ୍ଠ ଟିମ ଥିଲା, ମାତ୍ର ଆମ ପାଇଁ କିଛି ବି ସହଜ ନଥିଲା । ଆମେ ବଲ୍କୁ ପାସ୍ କରିବା କିମ୍ବା ସୁଯୋଗ ସୃଷ୍ଟି କରିବାରେ ସାମାନ୍ୟ ଆତ୍ମବିଶ୍ବାସ କମ ଦେଖାଇଥିଲୁ । ପ୍ରାରମ୍ଭିକ ତ୍ରୁଟି ମଧ୍ୟ ପ୍ରଦର୍ଶନ ଉପରେ ପ୍ରଭାବ ପକାଇଥିଲା ।" ସର୍ବଭାରତୀୟ ଫୁଟବଲ ମହାସଂଘ ଦ୍ବାରା ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ ମ୍ୟାଚ୍ ପରେ ପ୍ରଦର୍ଶନକୁ ନେଇ ଏହି ପ୍ରତିକ୍ରିୟା ରଖିଥିଲେ ଭାରତୀୟ ଟିମର ମୁଖ୍ୟ କୋଚ୍ ।
ଭାରତୀୟ ଟିମ FIFA ୧୭ ବର୍ଷରୁ କମ ମହିଳା ବିଶ୍ବକପ ୨୦୨୨ରେ ଖେଳିଥିବା ପ୍ରଥମ ମ୍ୟାଚ୍ରେ ଆମେରିକା ଠାରୁ ୦-୮ରେ ପରାସ୍ତ ହୋଇଛି । କ୍ୟାପଟେନ ଆସ୍ତମ ଓରାଅନ ଟିମର ତ୍ରୁଟିକୁ ସ୍ବୀକାର କରିବା ସହ କହିଛନ୍ତି, "ସେମାନଙ୍କ ସାମ୍ନାରେ ଆମେ ଯଥେଷ୍ଟ ନଥିଲୁ, ସେମାନଙ୍କର ଗତି, ଚାପଯୁକ୍ତ କୌଶଳ ସବୁକିଛି ଶକ୍ତିଶାଳୀ ଥିଲା । ତେବେ ଏହି ପରାଜୟରୁ ଆମେ ଅନେକ କିଛି ଶିକ୍ଷାଲାଭ କରିଛୁ । ଆମର ପରବର୍ତ୍ତୀ ମ୍ୟାଚ୍ରେ ଆମେ ଏହା କାମରେ ଲଗାଇବାକୁ ପ୍ରୟାସ କରିବୁ । ଦିନ ଆସିବ ବିଜୟ ଆମର ହେବ, ବିଜୟର ନୂଆ ସୂର୍ଯ୍ୟ ଉଦୟ ହେବ, ଖୁସିର ସକାଳ ହେବ । ପରାଜୟକୁ ସ୍ବୀକାର କରୁଛୁ ଓ ଅଧିକ ଆତ୍ମବିଶ୍ବାସର ସହ ଆଗାମୀ ମ୍ୟାଚ୍ରେ ଫେରିବାକୁ ଲକ୍ଷ୍ୟ ରଖିଛୁ ।"
ଭାରତୀୟ ୧୭ ବର୍ଷରୁ କମ ମହିଳା ଫୁଟବଲ ଟିମ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ବରରେ ୦-୮ ପରାଜୟରୁ ନିଜର ବିଶ୍ବକପ ଅଭିଯାନ ଆରମ୍ଭ କରିଛି । ଏହି ପରାଜୟ ୧୭ବର୍ଷ ବର୍ଗରେ ଭାରତୀୟ ମହିଳା ଫୁଟବଲର ଟିମର ଏହା ସର୍ବବୃହତ ପରାଜୟ । ଏହି ବଡ ବ୍ୟବଧାନର ପରାଜୟ ଭାରତକୁ ନିଜ ଗ୍ରୁପରେ ପଏଣ୍ଟ ଟେବୁଲର ଶେଷକୁ ଠେଲିଦେଇଛି । ଆମେରିକା(USA) ଗ୍ରୁପ ଏ'ରେ ପ୍ରଥମ ସ୍ଥାନରେ ଥିବାବେଳେ, ମରୋକ୍କୋକୁ ୧-୦ ଗୋଲ୍ରେ ହରାଇ ବ୍ରାଜିଲ ଦ୍ବିତୀୟ ସ୍ଥାନରେ ରହିଛି ।
ଭାରତ ବିପକ୍ଷରେ ଆମେରିକା ପକ୍ଷରୁ ମେଲିନା ରେବିମ୍ବାସ ଦୁଇଟି ଗୋଲ୍ ମ୍ୟାଚ୍ର ନବମ ମିନିଟ୍ରେ ଓ ୩୧ତମ ମିନିଟ୍ରେ କରିଥିଲେ । ସେହିପରି ଚରଲୋଟ କୋହଲର(୧୪'), ଓନେୟାକା ଗାମିଓ(୨୪'), ଗିସଲେ ଥୋମ୍ପସନ(୩୮'), ଇଲା ଏମରି(୫୨'), ଟେଲର ସୁଆରେଜ(୫୮' P) ଓ ମିଆ ଭୁଟା(୬୦') ମିନିଟ୍ରେ ଗୋଲ୍ କରିଥିଲେ । ଏହା ମଧ୍ୟ FIFA U-୧୭ ମହିଳା ବିଶ୍ବକପରେ ଆମେରିକାର ସର୍ବବୃହତ ବିଜୟ ।