ଭୁବନେଶ୍ବର:ଆଇଟିଏଫ ଏସିଆ 14 ବର୍ଷରୁ କମ ଡେଭଲପମେଣ୍ଟ ଚମ୍ପିଅନସିପ ଉଦଘାଟିତ ହୋଇଛି । ରାଜ୍ୟ ଟେନିସ ସଂଘ ଏବଂ ରାଜ୍ୟ କ୍ରୀଡା ବିଭାଗର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଆଇଟିଏଫ ଏସିଆ ଟେନିସ ଚମ୍ପିଅନସିପ ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚମ୍ପିଅନସିପର ଉଦଘାଟନ କରିଛନ୍ତି ।ଏସିଆର 18ଟି ଦେଶର 14ଟି ଟିମ୍ ଭାଗ ନେଇଛନ୍ତି । ମୋଟ 46 ଜଣ ଖେଳାଳି ଭାଗ ନେଇଛନ୍ତି । ଏପ୍ରିଲ 3ରୁ 14 ତାରିଖ ପର୍ଯ୍ୟନ୍ତ ଆଇଟିଏଫ ଏସିଆ U-14 ଡେଭଲପମେଣ୍ଟ ଚମ୍ପିଅନସିପ 2023 ଫାଇନାଲ ଚାଲିବ । ଚମ୍ପିଅନସିପକୁ 4ଟି ବର୍ଗରେ ଭାଗ କରାଯାଇଛି ।
ଯେଉଁମାନେ ଖେଳ ଦେଖିବାକୁ ଚାହିଁବେ ସେମାନେ ସମ୍ପୂର୍ଣ୍ଣ ମାଗଣାରେ ଆସି ଷ୍ଟାଡିୟମରେ ଖେଳ ଦେଖିବାର ବ୍ୟବସ୍ଥା ରହିଛି । ୩ ନମ୍ବର ଗେଟ୍ ସାମ୍ନାରେ ଫ୍ରି ପାସ ଉପଲବ୍ଧ କରାଯିବ । www.odishatenis.com ମାଧ୍ୟମରେ ଫ୍ରି ଇପାସ ପାଇପାରିବେ କ୍ରୀଡାପ୍ରେମୀ । ସମସ୍ତ ୮ଟି କୋର୍ଟରେ ପ୍ରତିଦିନ ସକାଳୁ ୯-୧୨ ଏବଂ ଅପରାହ୍ନରେ ୪-୭ ଟା ପର୍ଯ୍ୟନ୍ତ ଖେଳାଯିବ । ପ୍ରଥମ ଥର ପାଇଁ ଭାରତରେ ଏହି ଭଳି ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । ହକି, ଫୁଟବଲ ଭଳି ଓଡ଼ିଶା ଆଗକୁ ଟେନିସରେ ମଧ୍ୟ ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବ ବୋଲି କହିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।
ଏହି ସେଣ୍ଟରଟି ଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦ ସହରର ଥିବା ଭଳି ସେଣ୍ଟର କୋର୍ଟଠାରୁ ଉନ୍ନତ । ଖେଳାଳି ଓ ରେଫରିଙ୍କ ପାଇଁ ସବୁ ପ୍ରକାର ସୁବିଧା ରହିଛି । ଏଠାରେ ITFର ଡେଭିସ କପ୍ ଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରିବ । ଓଡିଶା ଟେନିସ ଆସୋସିଏସନ୍ ଓ ରାଜ୍ୟ ସରକାରଙ୍କ ଦ୍ବାରା କଳିଙ୍ଗ ଷ୍ଟାଡିୟମରେ ITF ୧୪ବର୍ଷରୁ କମ ଏସିଆ ଟେନିସ ଡେଭଲପମେଣ୍ଟ ଚମ୍ପିଅନସିପ ଫାଇନାଲ ଖେଳାଯିବ।