ଭୁବନେଶ୍ବର:ମାର୍ଚ୍ଚ ୧୨ ଓ ୧୩ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ହକି ଟିମ ଓ ଜର୍ମାନୀ ପୁରୁଷ ହକି ଟିମ ମଧ୍ୟରେ ଖେଳାଯିବାକୁ ଥିବା FIH ପ୍ରୋ-ଲିଗ ହକି ମ୍ୟାଚ୍ ସ୍ଥଗିତ । ଜର୍ମାନୀ ଟିମର ବହୁ ଖେଳାଳି COVID-19 ପଜିଟିଭ ସଂକ୍ରମିତ ଅଛନ୍ତି । ସେଥିପାଇଁ ଏହି ମ୍ୟାଚ୍କୁ ସ୍ଥଗିତ ଘୋଷଣା କରିଛି ଅନ୍ତର୍ଜାତୀୟ ହକି ମହାସଂଘ (FIH) ।
ଏକାଧିକ ସଦସ୍ୟ କୋଭିଡ ଆକ୍ରାନ୍ତ ପରେ ଜର୍ମାନୀ ପୁରୁଷ ହକି ଟିମ ଭାରତ ଗସ୍ତ ନ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ତର୍ଜାତୀୟ ହକି ମହାସଂଘ(FIH) ନିଜର ଅଫିସିଆଲ ୱେବସାଇଟ୍ରେ ମଙ୍ଗଳବାର ଏହା ସ୍ପଷ୍ଟ କରିଛି । FIH ୱେବସାଇଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, FIH, ହକି ଇଣ୍ଡିଆ ଓ ହକି ଜର୍ମାନୀ ମିଳିତ ଭାବେ ବିକଳ୍ପ ମ୍ୟାଚ୍ ତାରିଖ ସ୍ଥିର ପାଇଁ ଯୋଜନା କରୁଛନ୍ତି ।
ଏହାମଧ୍ୟ ପଢନ୍ତୁ: Women's Day Special: ପରାକ୍ରମୀ ଭାରତୀୟ ମହିଳା ଆଥଲେଟ୍, ଯାହାଙ୍କ ପ୍ରଦର୍ଶନରେ ବିଶ୍ବ ବିଜେତା ଭାରତ
ଜର୍ମାନ ପୁରୁଷ ଟିମ ଶେଷଥର ଫେବୃଆରୀ ୧୭ରୁ ୧୨ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରୋ-ଲିଗ୍ ମ୍ୟାଚ୍ ଖେଳିଥିଲା । ଅନ୍ୟପଟେ ଭାରତୀୟ ପୁରୁଷ ଟିମ ମଧ୍ୟ ଚଳିତବର୍ଷ ଫେବୃଆରୀ ୮ରୁ ୨୨ ପର୍ଯ୍ୟନ୍ତ ସମାନ ଦୁଇ ପ୍ରତିପକ୍ଷ ଓ ସମାନ ଭେନ୍ୟୁରେ ଖେଳିଥିଲା । ଘରକୁ ଫେରିବା ପରେ ଭାରତୀୟ ଟିମ କଳିଙ୍ଗ ଷ୍ଟାଡିୟମରେ ଫେବୃଆରୀ ୨୬-୨୭ ସ୍ପେନ ବିପକ୍ଷରେ ମ୍ୟାଚ୍ ଖେଳିଛି ।
ଉଭୟ ଭାରତ ଓ ଜର୍ମାନୀ ବର୍ତ୍ତମାନ ପ୍ରୋ-ଲିଗ୍ରେ ୬ଟି ଲେଖାଏଁ ମ୍ୟାଚ୍ ଖେଳି ସମାନ ୧୨ ପଏଣ୍ଟ ହାସଲ କରିଛନ୍ତି । ତେବେ ଗୋଲ୍ ବ୍ୟବଧାନ ଯୋଗୁଁ ଜର୍ମାନୀ ତୃତୀୟ ସ୍ଥାନରେ ଥିବାବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ନେଦରଲାଣ୍ଡ୍ସ ୬ଟି ମ୍ୟାଚ୍ରୁ ୧୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।
ଅନ୍ୟପଟେ ଜର୍ମାନୀ ଜାତୀୟ ମହିଳା ହକି ଟିମ ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିଛି । ମାର୍ଚ୍ଚ ୧୨ ଓ ମାର୍ଚ୍ଚ ୧୩ରେ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ମହିଳା ଟିମ ବିପକ୍ଷରେ ଜର୍ମାନୀ ମହିଳା ଟିମର ମ୍ୟାଚ୍ ଖେଳାଯିବା ନେଇ ସୂଚୀ ରହିଛି ।