ସାଣ୍ଟିଆଗୋ: ଏଫଆଇଏଚ ଜୁନିୟର ମହିଳା ବିଶ୍ବକପରେ ଦମଦାର ଆରମ୍ଭ କରିଥିବା ଭାରତ ଲଗାତାର ଦ୍ବିତୀୟ ପରାଜୟର ସାମ୍ନାକୁ କରିଛି । କନିଷ୍ଠ ମହିଳା ହକି ବିଶ୍ବକପରେ ଭାରତ କାନାଡା ବିପକ୍ଷରେ ବଡ ବିଜୟ ହାସଲ କରିଥିଲା । ଏହାପରେ ଦ୍ବିତୀୟ ମ୍ୟାଚରେ ଜର୍ମାନୀ ଓ ତୃତୀୟ ମ୍ୟାଚରେ ବେଲଜିୟମଠୁ ପରାସ୍ତ ହୋଇଛି । ଏହି ପରାଜୟ ସହିତ ଭାରତ କ୍ବାର୍ଟର ଫାଇନାଲ ଖେଳିବାକୁ ବଞ୍ଚିତ ହୋଇଛି । ନିୟମ ଅନୁସାରେ ଗ୍ରୁପରେ ଶ୍ରେଷ୍ଠ ଦୁଇଟି ଦଳ କ୍ବାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ଭାରତ ଦୁଇଟି ମ୍ୟାଚରେ ହାରିବାରୁ ଜର୍ମାନୀ ଓ ବେଲିଜୟମ ପଛକୁ ତୃତୀୟ ସ୍ଥାନରେ ରହିଛି ।
ଶନିବାର ବେଲିଜିୟମ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମ କ୍ବାର୍ଟରରେ ବେଲଜିୟମ ଆଟାକିଂ ମୁଡରେ ଖେଳିଥିଲା । 5 ମିନିଟରେ ସ୍କେରଅପ ଫିଲ୍ଡ ଗୋଲ କରି ଦଳକୁ 1-0 ଗୋଲରେ ଆଗୁଆ କରିଥିଲେ । ଦ୍ବିତୀୟ କ୍ବାର୍ଟରରେ ଦୁଇ ଦଳ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା । କେହି କାହାକୁ ଗୋଲ ଦେବାକୁ ସମର୍ଥ ହୋଇ ନଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା ବେଲଜିୟମ ଅଗ୍ରଣୀ ବଜାୟ ରଖିଥିଲା । ତୃତୀୟ କ୍ବାର୍ଟରରେ ବେଲଜିୟମ ଗୋଲ କରିବାରେ ସଫଳ ହୋଇଥିଲା । 42ମିନିଟରେ ଡି ମୋଟ ଫ୍ରାନ୍ସ ପେନିଲ୍ଟିକୁ ଗୋଲରେ ପରିଣତ କରିଥିଲେ । ଏହା ସହିତ ଦଳ 2-0ରେ ଆଗୁଆ ଥିଲା ।
ଚତୁର୍ଥ ତଥା ଫାଇନାଲ କ୍ବାର୍ଟରରେ ଭାରତ କମବ୍ୟାକ କରିଥିଲା । 47 ଓ 51ତମ ମିନିଟରେ ଅନୁ ଗୋଲ ସ୍କୋର କରି ସ୍ଥିତି 2-2 କରିଥିଲେ । ଏହାପରେ 52 ମିନିଟରେ ବେଲଜିୟମ ଖେଳାଳି ଅଷ୍ଟ୍ରିଡ ଗୋଲ କରି ମ୍ୟାଚକୁ 3-2 ଗୋଲରେ ଆଗୁଆ କରିଥିଲେ । ଶେଷ ଯାଏ ଆଉ ଭାରତୀୟ ଖେଳାଳି ଗୋଲ ସ୍କୋର କରିପାରି ନଥିଲେ ।