ଦୋହା:ଫିଫା ବିଶ୍ବକପ କ୍ବାର୍ଟରରେ ପ୍ରବେଶ କରିଛି ପର୍ତ୍ତୁଗାଲ । ଧମାକାଦାର ପ୍ରଦର୍ଶନ କରି 16 ବର୍ଷ ପରେ ଫିଫା ବିଶ୍ବକପ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଦଳ । ସ୍ବିଜରଲାଣ୍ଡକୁ 6-1 ଗୋଲରେ ପରାସ୍ତ କରି ଏକ ବୃହତ ବିଜୟ ହାସଲ କରିଛି ପର୍ତ୍ତୁଗାଲ । କ୍ବାର୍ଟର ଫାଇନାଲ ମୁକାବିଲାରେ ମରକ୍କୋକୁ ଭେଟିବ ପର୍ତ୍ତୁଗାଲ । ମରକ୍କୋ ସ୍ପେନକୁ ହରାଇ କ୍ବାର୍ଟରରେ ପ୍ରବେଶ କରିଛି ।
ଏହି ମୁକାବିଲାରେ ପର୍ତ୍ତୁଗାଲ ତାର ପ୍ରଭାବ ବିସ୍ତାର କରିଥିଲା । କ୍ରିଷ୍ଟିଆନୋ ରୋନାଲ୍ଡୋ ଏକାଦଶରେ ସ୍ଥାନ ପାଇ ନଥିଲେ ବି ଏହା ଦଳକୁ ପ୍ରଭାବିତ କରିନଥିଲା । ରୋନାଲ୍ଡୋଙ୍କ ସ୍ଥାନରେ ଗୋନକାଲୋ ରାମୋସଙ୍କୁ ସ୍ଥାନ ମିଳିଥିଲା । 17 ତମ ମିନିଟରେ ପର୍ତ୍ତୁଗାଲ ଗୋଲ ଖାତା ଖୋଲିଥିଲା । ପ୍ରଥମ ମ୍ୟାଚ ଖେଳୁଥିବା ରାମୋସ ସାଥୀ ଖେଳାଳି ଜୋଆଓ ଫେଲିକ୍ସଙ୍କଠୁ ଏକ ପାସ ପାଇ ଗୋଲ କରିଥିଲେ । ସ୍ବିଜରଲାଣ୍ଡ ମ୍ୟାଚକୁ ଫେରିବାକୁ ପ୍ରୟାସ କରିଥିଲା । ମାତ୍ର ପର୍ତ୍ତୁଗାଲ ଆକ୍ରମଣରେ ଧରାଶାୟୀ ହୋଇଥିଲା ସ୍ବିଜରଲାଣ୍ଡ । 33ତମ ମିନିଟରେ ପର୍ତ୍ତୁଗାଲ ଦ୍ବିତୀୟ ଗୋଲ କରିଥିଲା । ପେପେ ଏହି ଗୋଲ କରି ଦଳକୁ 2-0ରେ ଆଗୁଆ କରିଥିଲେ । ଦ୍ବିତୀୟାର୍ଦ୍ଧ ଆରମ୍ଭ ହେବା ମାତ୍ର ପର୍ତ୍ତୁଗାଲ ତୃତୀୟ ଗୋଲ କରିଥିଲା । ଦଳ ପକ୍ଷରୁ ରାମୋସ 51ତମ ମିନିଟରେ ଏହି ଗୋଲ କରିଥିଲେ । ପଦାର୍ପଣ ମ୍ୟାଚରେ ଏହା ତାଙ୍କ ଦ୍ବିତୀୟ ଗୋଲ ଥିଲା । ପରେ ଆଉ ଏକ ଗୋଲ କରିଥିଲା ଦଳ । ରାଫେଲ ଗୁରେରୋ ଏହି ଗୋଲ କରି ଦଳକୁ 4-0ରେ ଆଗୁଆ କରିଥିଲେ ।