ଦୋହା: ଅନ୍ତିମ ଚରଣରେ ପହଞ୍ଚିଛି କତାର ଫିଫା ବିଶ୍ବକପ । ଫାଇନାଲ ଲାଇନ ଅଫ ଚୂଡାନ୍ତ ହୋଇଛି । ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଫାଇନାଲ ମୁକାବିଲା ହେବ । ବୁଧବାର ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲ ମୁକାବିଲାରେ ମରକ୍କୋକୁ ପରାସ୍ତ କରିଛି ଫ୍ରାନ୍ସ । ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବା ଆଶା ରଖିଥିବା ମରକ୍କୋର ଆଶା ମଉଳି ଯାଇଛି । ଏତେ ବାଟ ଆସି ଫାଇନାଲ ପ୍ରବେଶ ନ କରି ପାରିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ମରକ୍କୋ ଫ୍ୟାନ୍ସ । ଗଣ୍ଡଗୋଳ କରିବା ସହି ପୋଡା ଜଳା କରିଛନ୍ତି ମରକ୍କୋ ଦଳ ସମର୍ଥକ ।
ତେବେ ଏହି ଗଣ୍ଡଗୋଳ ମରକ୍କୋ କିମ୍ବା ବିଶ୍ବକପ ଖେଳାଯାଉଥିବା କତାର ନୁହେଁ ବରଂ ବେଲଜିୟମ ରାଜଧାନୀ ବ୍ରାସେଲ୍ସରେ ଘଟିଛି । 100ରୁ ଅଧିକ ଫ୍ୟାନ୍ସ ଏକାଠୀ ହୋଇ ଗଣ୍ଡଗୋଳ କରିବା ସହିତ ପୋଡାଜଳା କରିଛନ୍ତି । ରାସ୍ତାକୁ ଓହ୍ଲାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମରକ୍କୋ ଫ୍ୟାନ୍ସ । ପ୍ରଥମେ ମରକ୍କୋ ପତାକା ଧରିଥିବା ଶତାଧିକ ଫ୍ୟାନ୍ସ ବ୍ରସେଲ୍ସର ସାଉଥ ଷ୍ଟେସନ ନିକଟରେ ମୁତୟନ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନିଆଁ ଗୋଳା ଫୋପାଡିବା ସହ ଜିନିଷ ଭଙ୍ଗାରୁଜା କରିଥିଲେ । ସେମାନଙ୍କୁ ସୁରକ୍ଷାକର୍ମୀ ଅଟକାଇବା ସହି ବିଶୃଙ୍ଖଳା ନ କରିବାକୁ କହିଥିଲେ । ଚେତାବନୀ ସତ୍ତ୍ବେ ଶୁଣିବାକୁ ନାରାଜ ଥିଲେ ଫ୍ୟାନ୍ସ । ବିଭିନ୍ନ ଆବର୍ଜନା ଗଦାରେ ନିଆଁ ଲଗାଇ ଦେଇଥିଲେ । ଏହାକୁ ଫ୍ୟାନ୍ସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଘଟଣା ଖବର ପାଇ ପୋଲିସ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା ଓ କିଛି ମରକ୍କୋ ଫ୍ୟାନ୍ସଙ୍କୁ ଗିରଫ କରି ନେଇଛି ପୋଲିସ ।