ନୂଆଦିଲ୍ଲୀ: ଚାଲିଛି ରାଜ୍ୟ କ୍ରିକେଟ ବୋର୍ଡର ନିର୍ବାଚନ ଋତୁ । ସବୁ ରାଜ୍ୟ ବୋର୍ଡର ନିର୍ବାଚନ ସେପ୍ଟେମ୍ବର 30 ସୁଦ୍ଧା ସାରିବାକୁ ବିସିସିଆଇର ନିର୍ଦ୍ଦେଶ ରହିଛି । ତେବେ ପୂର୍ବରୁ ରାଜ୍ୟ ବୋର୍ଡର ପରିଚାଳନା ଦାୟିତ୍ବରେ ଥିବା ସଭାପତି ଓ ସଂପାଦକଙ୍କ ପରିବାର ପକ୍ଷରୁ ପୁନର୍ବାର ଆସନ ହାତେଇବାକୁ ପ୍ରୟାସ ଜାରି ରହିଛି । ଏହାକୁ ସାଧାରଣ ନିର୍ବାଚନରେ ପରିବାରବାଦ ଭଳି କ୍ରିକେଟରେ ମଧ୍ୟ ବଂଶବାଦ ବୋଲି ଚର୍ଚ୍ଚା ହେଉଛି ।
ଧୀରେଧୀରେ କ୍ରିକେଟ ଆସୋସିଏସନ ଗୁଡିକ ନିର୍ବାଚନ ଆଡକୁ ମୁହାଉଁଛି । ଅନେକ ରାଜ୍ୟରେ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ତେବେ ନିର୍ବାଚନରେ ପୂର୍ବରୁ ଜାତୀୟ ତଥା ରାଜ୍ୟ ବୋର୍ଡ ଦାୟିତ୍ବରେ ଥିବା ପୂର୍ବତନ କ୍ରିକେଟ ପ୍ରଶାସକଙ୍କ ଉତ୍ତରାଧିକାରୀ ପ୍ରାର୍ଥୀପତ୍ର ଦାଖଲ କରିଥିବା କଥା ସାମ୍ନାକୁ ଆସିଛି ।
ତାମିଲନାଡୁ କ୍ରିକେଟ ଆସୋସିଏନର ସଭାପତି ପଦ ପାଇଁ ପ୍ରର୍ଥୀପତ୍ର ଦାଖଲ କରିଛନ୍ତି ରୂପା ରୂପା ଗୁରନାଥ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ଅଧ୍ୟକ୍ଷ ଏନ ଶ୍ରୀନିବାସନଙ୍କ ଝିଅ ହେଉଛନ୍ତି ରୂପା । ରୂପା ବିସିସିଆଇ ଅନୁମୋଦିତ କୌଣସି ରାଜ୍ୟ କ୍ରିକେଟ ବୋର୍ଡର ପ୍ରଥମ ମହିଳା ସଭାପତି ହେବେ ବୋଲି ଚର୍ଚ୍ଚା ହେଉଛି । ଓଡିଶା କ୍ରିକେଟ ଆସୋସିଏସନର ପୂର୍ବତନ ସଂପାଦକ ଆର୍ଶୀବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ସଂପାଦକ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ସୌରାଷ୍ଟ୍ର କ୍ରିକେଟ ଆସୋସିଏନର ସଭାପତି ହୋଇଛନ୍ତି ଜୟଦେବ ଶାହା । ବିସିସିଆଇର ପୂର୍ବ ସଚିବ ନିରଞ୍ଜନ ଶାହାଙ୍କ ପୁତ୍ର ହେଉଛନ୍ତି ଜୟଦେବ ।
ତେବେ ରାଜ୍ୟ କ୍ରିକେଟ ପରିଚାଳନା ବୋର୍ଡରେ ଏପରି ପରିବାରବାଦ ଦ୍ବାରା କ୍ରୀଡାର କେତେ ମାତ୍ରରେ ବିକାଶ ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।