ହାଇଦ୍ରାବାଦ:ଜାକର୍ତ୍ତା ଏସିଆନ ଗେମ୍ସ ରୌପ୍ୟ ବିଜେତା ଓଡିଆ ଧାବିକା ଦୂତୀ ଚାନ୍ଦଙ୍କୁ ମିଳିବ ଛତିଶଗଡ ବୀରନି ଆୱାର୍ଡ ।
ମହାମାରୀ କୋରୋନା ଭାଇରସ ଯୋଗୁଁ ଏହି ପୁରସ୍କାର ବିତରଣ ଉତ୍ସବର ପ୍ରଥମ ସଂସ୍କରଣ ଭର୍ଚୁଆଲ ମାଧ୍ୟମରେ ଏପ୍ରିଲ 14ରେ ଅନୁଷ୍ଠିତ ହେବ ।
ଛତିଶଗଡ ରାଜ୍ୟ ସରକାର ଭାରତୀୟ ମହିଳାଙ୍କୁ କ୍ରୀଡା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପୁରସ୍କୃତ ପ୍ରଦାନ କରୁଛନ୍ତି ।
ଛତିଶଗଡ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, କ୍ରୀଡା ବର୍ଗରେ ଦୂତୀଙ୍କ ନାମ ରହିଛି ।
ବର୍ଷ 2019ରେ ଓଡିଶା ଧାବିକା ଦୂତୀ ଚାନ୍ଦ ଇଟାଲିରେ ଆୟୋଜିତ ବିଶ୍ବ ବିଶ୍ବବିଦ୍ୟାଳୟ ଗେମ୍ସରେ ପ୍ରଥମ ଭାରତୀୟ ମହିଳା ଭାବେ ସ୍ବର୍ଣ୍ଣ ପଦକ ଜିତିଥିଲେ । 100 ମିଟର ଦୌଡରେ ନ୍ୟାସନାଲ ରେକର୍ଡର ଅଧିକାରୀ ଦୂତୀ ଆଗାମୀ କିଛି ମାସ ମଧ୍ୟରେ 11.15 ସେକେଣ୍ଡରେ ପହଞ୍ଚି ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ପୋଲାଣ୍ଡରେ ହେବାକୁ ଥିବା ୱାର୍ଲ୍ଡ ରିଲେ ପ୍ରତିଯୋଗିତା ପାଇଁ ଭାରତୀୟ ମହିଳା 4X100 ମିଟର ରିଲେ ଟିମରେ ଚୟନ ହୋଇଛନ୍ତି ଦୂତୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ