ଚେନ୍ନାଇ: ଦେଶର ନମ୍ବର ୱାନ୍ ଚେସ୍ ଖେଳାଳି ଭାବେ ଗ୍ରାଣ୍ଡମାଷ୍ଟର୍ ବିଶ୍ବନାଥନ ଆନନ୍ଦ ଗାଦିଚ୍ୟୁତ । ଭାରତୀୟ ଖେଳ ଦୁନିଆର କିମ୍ବଦନ୍ତୀ ବ୍ୟକ୍ତିତ୍ବ ଚେସ୍ ଗ୍ରାଣ୍ଡମାଷ୍ଟର୍ ବିଶ୍ବନାଥନ ଆନନ୍ଦ ଦୀର୍ଘ ୩୭ ବର୍ଷ ଧରି ଭାରତର ଏକ ନମ୍ବର ଚେସ୍ ଖେଳାଳି ରହିବା ପରେ ପ୍ରଥମ ଥର ପାଇଁ ତାଙ୍କୁ ହଟାଇ ଏହି ସ୍ଥାନ ଅଳଙ୍କୃତ କରିଛନ୍ତି ୧୭ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର୍ ଡି ଗୁକେଶ । ନିକଟରେ ଶେଷ ହୋଇଥିବା FIDE ବିଶ୍ବକପ୍ କ୍ବାର୍ଟରଫାଇନାଲ୍ରେ ବିଶ୍ବର ଏକ ନମ୍ବର ନର୍ୱେର ମାଗ୍ନସ କାର୍ଲସେନ୍ଙ୍କଠାରୁ ହାରି ବିଦାୟ ନେଇଥିଲେ ୧୭ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର୍ ଡି ଗୁକେଶ । ଏବେ ସେ ଦେଶର ନୂଆ ଏକ ନମ୍ବର ମାନ୍ୟତାପ୍ରାପ୍ତ ଚେସ୍ ଖେଳାଳି ହୋଇଛନ୍ତି ।
ଜୁଲାଇ ୧୯୮୬ ମସିହାରୁ ବିଶ୍ବନାଥନ ଆନନ୍ଦ ଭାରତର ଏକ ନମ୍ବର ଖେଳାଳି ହୋଇ ଶୀର୍ଷରେ ରହିଥିଲେ । ୨୦୨୩ ସେପ୍ଟେମ୍ବର ୧ ତାରିଖରେ ପ୍ରକାଶିତ FIDE ରେଟିଂରେ ଗୁକେଶଙ୍କ ରେଟିଂ ୨୭୫୮ ରହିଛି । ଏହା ସହିତ ପ୍ରଥମ ଥର ପାଇଁ ଗୁକେଶ ମଧ୍ୟ FIDE ରେଟିଂରେ ଟପ୍ ୧୦ ଭିତରକୁ ପ୍ରବେଶ କରିଛନ୍ତି । ଆନନ୍ଦ ଏବେ ୨୭୫୪ରେ ରହିଛନ୍ତି । FIDE ବିଶ୍ବକପ୍ ଫାଇନାଲ୍ରେ ରନର୍ ଅପ୍ ତଥା ରୌପ୍ୟ ବିଜେତା ଆର୍ ପ୍ରଜ୍ଞାନନ୍ଦ ୨୭୨୭ ପଏଣ୍ଟ ସହ ୧୯ତମ ସ୍ଥାନରେ ପହଞ୍ଚିଛନ୍ତି । ଭାରତର ସେ ତୃତୀୟ ମାନ୍ୟତାପ୍ରାପ୍ତ ଖେଳାଳି ହୋଇଛନ୍ତି । ସୂଚନାଯୋଗ୍ୟ, ଗୁକେଶ ଓ ପ୍ରଜ୍ଞାନନ୍ଦ ଚଳିତ ମାସରେ ଖେଳାଯିବାକୁ ଥିବା ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରିବାର ସମ୍ଭାବନା ରହିଛି ।