ନୂଆଦିଲ୍ଲୀ:ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ (Badminton World Federation) ମାନ୍ୟତା ତାଲିକାରେ ଉପରକୁ ଉଠିଛନ୍ତି ଭାରତୀୟ ସଟଲର ପିଭି ସିନ୍ଧୁ । ଦୁଇ ଦୁଇଥର ଅଲମ୍ପିକ୍ସ ପଦକ ବିଜେତା ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ବିଜେତା ପିଭି ସିନ୍ଧୁ ଶ୍ରେଷ୍ଠ 5ମ ସ୍ଥାନକୁ ଫେରିଛନ୍ତି । ଗୋଟିଏ ସ୍ଥାନ ଉନ୍ନୀତ ହୋଇ ଶ୍ରେଷ୍ଠ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି ପିଭି ସିନ୍ଧୁ । ଦୀର୍ଘ 3 ବର୍ଷ ବ୍ୟବଧାନ ପରେ ମହିଳା ସିଙ୍ଗଲ୍ସରେ ଶ୍ରେଷ୍ଠ 5 ଖେଳାଳିଙ୍କ ମଧ୍ୟରେ ରହିବାର ସଫଳତା ହାସଲ କରିଛନ୍ତି ସିନ୍ଧୁ । ଏହା ସହ ବିଡବ୍ଲ୍ୟୁଏଫ ମାନ୍ୟତା ପୁରୁଷ ବର୍ଗରେ ତାଲିକାରେ ଏଚଏସ ପ୍ରଣୟଙ୍କ ସ୍ଥାନ ମଧ୍ୟ ଉପରକୁ ଉଠିଛି ।
ପ୍ରକାଶିତ ତାଲିକାରେ ରିଓ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ସ୍ପେନର କାରୋଲିନା ମାରିନଙ୍କୁ ହଟାଇ ଏହି ସ୍ଥାନକୁ ଉଠିଛନ୍ତି ସିନ୍ଧୁ । ମାରିନ ଷଷ୍ଠ ସ୍ଥାନରେ ରହିଛନ୍ତି । ସିନ୍ଧୁ ଶେଷ ଥର ଲାଗି 2019 ସେପ୍ଟେମ୍ବରରେ ମହିଳା ସିଙ୍ଗଲ୍ସରେ ଟପ 5ରେ ରହିଥିଲେ । ବର୍ମିହାମରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ସିନ୍ଧୁ । ଏହାପରେ ଆହତ ସମସ୍ୟା ପାଇଁ ବିଶ୍ବ ଚାମ୍ପିଅନସିପରୁ ବାଦ ପଡିଥିଲା । ଅନ୍ୟତମ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଗୋଟିଏ ସ୍ଥାନ ଖସି 33ତମ ସ୍ଥାନରେ ରହିଛନ୍ତି ।