ନୂଆଦିଲ୍ଲୀ:ବୟସର ଅପରାହ୍ନରେ ଭଗବାନୀ ଦେବୀ । ଯେଉଁ ବୟସରେ ବିଶ୍ରାମ କରିବା କଥା ସେହି ବୟସରେ ସେ ରେକର୍ଡ କରିଛନ୍ତି । ଏହି ବୟସ୍କ ଖେଳାଳି ବିଦେଶରେ ନିଜ ଦେଶର ପତାକା ଉଡାଇ ଦେଶକୁ ଗର୍ବିତ କରିଛନ୍ତି । 95 ବର୍ଷୀୟ ଭଗବାନୀ ଦେବୀ ଫିନଲାଣ୍ଡରେ ଅନୁଷ୍ଠିତ ବିଶ୍ବ ମାଷ୍ଟର୍ସ ଆଥଲେଟିକ ଚମ୍ପିଆନସିପ ସନିଅର ସିଟିଜନ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରମାଣ କରି ଦେଖାଇଛନ୍ତି ଖେଳ ପାଇଁ ବୟସର ବାଧା ହୋଇନଥାଏ । ପୂର୍ବ ବର୍ଷ 100 ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ବିଶ୍ବ ମାଷ୍ଟର୍ସ ଆଥଲେଟିକ ଚମ୍ପିଆନସିପ୍ 2023ରେ 100 ମିଟର ଦୌଡକୁ 24.74 ସେକେଣ୍ଡରେ ପୁରା କରିଛନ୍ତି । ଗୋଟିଏ ସେକେଣ୍ଡ ପାଇଁ ସେ ବିଶ୍ବ ରେକର୍ଡ କରିବାକୁ ବଞ୍ଚିତ ଅଛନ୍ତି । ମାତ୍ର 12 ବର୍ଷ ବୟସରେ ଭଗବାନୀ ଦେବୀଙ୍କ ବିବାହ ହୋଇଥିଲା । 30 ବର୍ଷ ବୟସରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା । ଦ୍ବିତୀୟ ବିବାହ କରିନଥିଲେ ଭାଗବାନୀ । ସ୍ବାମୀଙ୍କ ଯିବା ପରେ ତାଙ୍କର ଏକ 8 ବର୍ଷୀୟ ଝିଅର ମୃତ୍ୟୁ ହୋଇଥିଲା । ତଥାପି ହାରି ନଥିଲେ ସେ । ସ୍ଥିତି ପରିସ୍ଥିତିର ମୁକାବିଲା କରିଥିଲେ । ପରିବାର ସମ୍ଭାଳିଥିଲେ । ତାଙ୍କର ଗୋଟିଏ ପୁଅ ଅଛନ୍ତି । ହରିୟାଣାର ଭଗବାନୀ ଦେବୀଙ୍କ ଏବେ 3ଟି ନାତି ଅଛନ୍ତି ।
ଏହା ବି ପଢନ୍ତୁ...BCCI Annual Contract List: A+ରେ ରୋହିତ, ଜାଡେଜା, ବୁମରା, ବିରାଟ