ନୂଆଦିଲ୍ଲୀ:କ୍ରିକେଟରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ପାକିସ୍ତାନ ମ୍ୟାଚ ଡ୍ର ହୋଇଛି ମାତ୍ର ହକିରେ ବାଜି ମାରି ନେଇଛି ଭାରତ । ଓମାନରେ ଚାଲିଥିବା ଏସିଆନ ପୁରୁଷ ହକି 5ଏସ ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ହରାଇ ବିଜୟୀ ହୋଇଛି । ଫାଇନାଲ ଫାଇଟରେ ସୁଟ ଆଉଟରେ 4-4 (2-0) ପାକିସ୍ତାନକୁ ଚେକ ଦେଇ ଚମ୍ପିଆନ ହୋଇଛି ଭାରତୀୟ ଦଳ । ଏହା ସହିତ 2024ରେ ହେବାକୁ ଥିବା 5ଏସ ହକି ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛି ।
ସେମିଫାଇନାଲରେ ମାଲେସିଆରୁ 10-4 ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ଭାରତୀୟ ହକି ଦଳ । ପାରମ୍ପରିକ ପ୍ରତିନ୍ଦ୍ବନୀ ପାକିସ୍ତାନ ସହ ଫାଇନାଲ ଲଢେଇରେ କଡା ମୁକାବିଲା ହୋଇଥିଲା । ମ୍ୟାଚର ପଞ୍ଚମ ମିନିଟରେ ଗୋଲ ଦେଇ ପାକିସ୍ତାନ ଖାତା ଖୋଲିଥିଲା । ଏହାର 2 ମିନିଟ ପରେ ଭାରତ ଯୁଗରାଜ ସିଂହ ଗୋଲ ସ୍କୋର କରି 1-1ରେ ସ୍ଥିତି ବରାବର କରିଥିଲେ । ପରବର୍ତ୍ତୀ 3 ମିନିଟ ପରେ ମନିନ୍ଦର ସିଂହ ଗୋଟିଏ ଗୋଲ କରି ଭାରତକୁ 2-1ରେ ଆଗୁଆ କରିଥିଲେ । ଏହା ପରେ ପାକିସ୍ତାନ କମବ୍ୟାକ କରି 13ତମ ଓ 14ତମ ମିନିଟରେ 2ଟି ଗୋଲ କରି 3-2ରେ ଆଗରେ ରହିଥିଲା । ପରେ ପରେ ପାକିସ୍ତାନ ଆଉ ଏକ ଗୋଲ ସ୍କୋର କରି 4-2ରେ ଆଗୁଆ ରହିଥିଲା ।
ଭାରତ ଜବରଦସ୍ତ କମବ୍ୟାକ କରି 19ତମ ଓ 26ତମ ମିନିଟରେ 2ଟି ଗୋଲ ସ୍କୋର କରିଥିଲା । ମ୍ୟାଚଟି 4-4ରେ ଅମୀମାଂସିତ ରହିଥିଲା । ଏହାପରେ ସୁଟଆଉଟରେ ଭାରତ ପକ୍ଷରୁ ଗୁରଜୋତ ସିଂହ ଓ ମନିନ୍ଦର ସିଂହ ଗୋଲ ସ୍କୋର କରିଥିଲେ । ପାକିସ୍ତାନ ଗୋଲ ପରିଶୋଧ କରିବାରେ ବିଫଳ ହୋଇଥିଲା । ଚମ୍ପିଆନ ଭାରତୀୟ ଦଳକୁ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ଦଳକୁ ପୁରସ୍କାର ଘୋଷଣା କରାଯାଇଛି । ଦଳର ପ୍ରତି ଖେଳାଳିଙ୍କୁ 2ଲକ୍ଷ ଟଙ୍କା ଓ ସହକାରୀ ଷ୍ଟାଫଙ୍କୁ 1 ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରାଯାଇଛି ।