ଜାକର୍ତ୍ତା:ଇଣ୍ଡୋନେସିଆରେ ଆଜିଠୁ (ସୋମବାର) ଆରମ୍ଭ ହେଉଛି ପୁରୁଷ ଏସିଆ ହକି କପ । ପ୍ରଥମ ଦିନରେ 4 ଟି ମ୍ୟାଚ ଖେଳାଯିବ । ପୁଲ ଏରେ ସ୍ଥାନ ପାଇଥିବା ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଆଜି ପରସ୍ପରକୁ ଭେଟିବେ । ଏହି ହାଇଭୋଲଟେଜ ମ୍ୟାଚକୁ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ଜାକର୍ତ୍ତାର ଗେଲୋରା ବଙ୍ଗ କର୍ନୋ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଅପରାହ୍ନ 5ଟାରେ ମ୍ୟାଚ ଆରମ୍ଭ ହେବ ।
ଭାରତୀୟ ହକି ଦଳର ମଙ୍ଗ ଧରିଛନ୍ତି ଓଡିଆ ହକି ତାରକା ତଥା ଅଲିମ୍ପିଆନ ବିରେନ୍ଦ୍ର ଲାକ୍ରା । ବିରେନ୍ଦ୍ରଙ୍କ ନେତୃତ୍ବରେ ଏସିଆ କପ ପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି । ଆଗକୁ 2023 ରାଜ୍ୟଗୋଷ୍ଠୀ କ୍ରୀଡାକୁ ଦୃଷ୍ଟିରେ ରଖି ଦଳର ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । 2017 ସଂସ୍କରଣରେ ଭାରତ ଫାଇନାଲରେ ମାଲେସିଆକୁ ହରାଇ ତୃତୀୟ ଥର ପାଇଁ ଚମ୍ପିଆନ ହୋଇଥିଲା । ଭାରତ ଓ ପାକିସ୍ତାନ ଦଳ 3 ଥର ଲେଖାଏଁ ଏସିଆ କପ ଚାମ୍ପିଆନ ହୋଇଛନ୍ତି । ତେଣୁ ଆଜି ଦୁଇଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ।