ପ୍ୟାରିସ:ଭାରତୀୟ ତୀରନ୍ଦାଜଙ୍କ ପାଇଁ ରବିବାର ହୋଇଛି ଶୁଭଙ୍କର । ମହିଳା ରିକର୍ଭ ଟିମ ସ୍ବର୍ଣ୍ଣ ବିଜୟିନୀ ହେବାପରେ ଦିନର ଦ୍ବିତୀୟ ସ୍ବର୍ଣ୍ଣ ଜିତିଛନ୍ତି ମିକ୍ସଡ ରିକର୍ଭ ଟିମ । ପ୍ୟାରିସରେ ଚଳିତ ତୀରନ୍ଦାଜ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଭାରତୀୟ ପତିପତ୍ନୀ ତୀରନ୍ଦାଜ ଯୋଡି ଅତନୁ ଦାସ ଓ ଦୀପିକା କୁମାରୀ । ମିକ୍ସଡ ରିକର୍ଭ ଟିମ ଇଭେଣ୍ଟରେ ନେଦରଲାଣ୍ଡସକୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।
ସେମିଫାଇନାଲରେ ଭାରତୀୟ ଟିମ ସ୍ପେନକୁ 5-3ରେ ହରାଇଥିଲା ଓ କ୍ବାର୍ଟରଫାଇନାଲରେ ଆମେରିକାକୁ 6-0ରେ ମାତ ଦେଇଥିଲା । ଦୀପିକା କୁମାରୀ, କୋମାଲିକା ବରି ଓ ଅଙ୍କିତା ଭକତଙ୍କୁ ନେଇ ଲଢିଥିବା ମହିଳା ରିକର୍ଭ ଟିମ ମଧ୍ୟ ପୂର୍ବରୁ ମେକ୍ସିକୋକୁ ହରାଇ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ।