ବର୍ମିଂହାମ:ଅଧୁରା ରହିଗଲା ଭାରତୀୟ ଯୁବ ସର୍ଟଲର ଲକ୍ଷ ସେନଙ୍କ ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଟାଇଟେଲ ଜିତିବା ସ୍ବପ୍ନ । ଫାଇନାଲରେ ପରାସ୍ତ ହେବାପରେ ଲକ୍ଷଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ବିଶ୍ବ ନମ୍ବର ୧ ଭିକ୍ଟର ଆକ୍ସେଲସେନ, ଭାରତର ଲକ୍ଷ ସେନଙ୍କୁ ପରାସ୍ତ କରି ସମ୍ମାନଜନକ ଅଲ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ ଚାମ୍ପିୟନସିପ ଟାଇଟେଲ ବିଜେତା ହୋଇଛନ୍ତି ।
ଅଲମ୍ପିକ ଚାମ୍ପିୟନ ଭିକ୍ଟର ବର୍ମିଂହାମରେ ୫୩ ମିନିଟ୍ ଧରି ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍ରେ ୨୧-୧୦, ୨୧-୧୫ରେ ଭାରତୀୟ ସର୍ଟଲର ଲକ୍ଷ ନେସନଙ୍କୁ ପରାସ୍ତ କରିଥିଲେ । ଏହି ବିଜୟ ସହିତ ସେନଙ୍କ ବିପକ୍ଷରେ ଡେନ୍ ସର୍ଟଲରଙ୍କ ବିଜୟ ରେକର୍ଡ ଏବେ ୫-୧ ହୋଇଛି ।
ଭାରତୀୟ ଯୁବ ସର୍ଟଲର ପ୍ରକାଶ ପାଦୁକୋନ(୧୯୮୦) ଓ ପୁଲେଲା ଗୋପୀଚାନ୍ଦଙ୍କ(୨୦୦୧) ପରେ କେବଳ ତୃତୀୟ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାବେ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଟାଇଟାଲ ଲକ୍ଷ୍ୟରେ ରହିଥିଲେ । ଅଲ ଇଂଲଣ୍ଡ ବିଶ୍ବର ସର୍ବପୁରାତନ ଓ ସବୁଠୁ ଅଧିକ ସମ୍ମାନଜନକ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ।