ନୂଆଦିଲ୍ଲୀ: ହକି ବିଶ୍ବକପ ସଫଳ ଆୟୋଜନ ପାଇଁ ପୁରସ୍କୃତ ହୋଇଛି ହକି ଇଣ୍ଡିଆ । ହକି ବିଶ୍ବକପ 2023ର ସଫଳ ଆୟୋଜକ ଭାବେ ହକି ଇଣ୍ଡିଆକୁ ପୁରସ୍କୃତ କରାଯାଇଛି । ସଫଳ ଆୟୋଜକ ଭାବେ ହକି ଇଣ୍ଡିଆକୁ ଏସୀୟ ହକି ମହାସଂଘ (AHF) ପୁରସ୍କୃତ କରିଛି । କୋରିଆରେ ମୁଙ୍ଗୟୋଙ୍ଗରେ ଆୟୋଜିତ ଏଏଚଏଫ କଂଗ୍ରେସରେ ହକି ଇଣ୍ଡିଆ ସମ୍ପାଦକ ଭୋଳାନାଥ ସିଂହ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
16ଟି ଦଳକୁ ନେଇ ଓଡିଶାର ଦୁଇଟି ସହରରେ ହକି ବିଶ୍ବକପ ଅନୁଷ୍ଠିତ ହୋଇଥିଲା । ଲଗାତାର ଦ୍ବିତୀୟ ଥର ପାଇଁ ଓଡିଶାରେ ହକି ବିଶ୍ବକପ ହୋଇଥିଲା । ଏହା ପୂର୍ବରୁ 2018ରେ ପୁରୁଷ ହକି ବିଶ୍ବକର ଆୟୋଜନ କରି ପ୍ରଶଂସା ସାଉଁଟିଥିଲା ଓଡିଶା । ପ୍ରଥମ ସଫଳତା ପରେ ଏଫଆଇଏଚ ଓଡିଶାରେ କ୍ରମାଗତ ଦ୍ବିତୀୟ ଥର ପାଇଁ ପୁରୁଷ ହକି ବିଶ୍ବକପ ଆୟୋଜନ ଦାୟିତ୍ବ ଦେଇଥିଲା ।
ଚଳିତ ବର୍ଷ ହକି ବିଶ୍ବକପ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯାଇଥିଲା । ନବ ନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ବିଶ୍ବକପ ଖେଳାଯିବା ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା । ଏହି ଷ୍ଟାଡିୟମ ଗିନିଜ ବୁକ ଅଫ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । ଖାଲି ସେତିକି ନୁହେଁ ବର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିସରରେ ଅଲିମ୍ପିକ୍ସ କ୍ରୀଡା ଗ୍ରାମ ଢାଞ୍ଚାରେ ହକି ଗ୍ରାମ ମଧ୍ୟ ବିଶ୍ବର ଅନନ୍ୟ ଥିଲା । ବିଶ୍ବକପରେ ମାସ୍କର 'ଓଲି' ବିଶ୍ବରେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ନେଇ ବାର୍ତ୍ତା ଦେଇଥିଲା ।