ଭୁବନେଶ୍ବର: ଦୌଡରାଣୀ ଦୂତି ଚାନ୍ଦ ଏବେ ପୁଣି ଚର୍ଚ୍ଚାରେ । ଏଥର ନିଜର ପ୍ରଦର୍ଶନ କିମ୍ବା ମେଡାଲକୁ ନେଇ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ । ସେ ସମଲିଙ୍ଗୀ ସଂପର୍କରେ ଅଛନ୍ତି ।ଘର ପାଖ ଜଣେ ଝିଅଙ୍କ ସହ ତାଙ୍କର ରହିଛି ସମଲିଙ୍ଗୀ ସମ୍ପର୍କ । ଜାତୀୟ ଗଣମାଧ୍ୟମକୁ ସେ ଏକ ସାକ୍ଷାତକାରରେ ଏହି ଘଟଣାର ଖୁଲାସା କରିଛନ୍ତି ।
ଘଟଣା ସାମ୍ନାକୁ ଆସିବା ପରେ ‘ଇଟିଭି ଭାରତ’କୁ ପ୍ରତିକ୍ରିୟା ଦେଇ ଦୂତି କହିଛନ୍ତି, "ମୁଁ ମୋ ଜୀବନସାଥୀ ପାଇସାରିଛି । ଆମ ସହରର ଜଣେ ଝିଅଙ୍କ ସହ ମୋର ଦୀର୍ଘ 4ବର୍ଷ ହେବ ସମ୍ପର୍କ ଅଛି । ଏହା ସମଲିଙ୍ଗୀ ସମ୍ପର୍କ ହୋଇଥିବାରୁ ମୋତେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବାକୁ ପଡିବ କିନ୍ତୁ ମାତ୍ର ମୋର ବିଶ୍ବାସ ରହିଛି ମୋ ସମ୍ପର୍କକୁ ମୋର ଘର ଲୋକେ ସମର୍ଥନ କରିବେ ।"
ତେବେ ନିଜ ଜୀବନସାଥୀଙ୍କ ପରିଚୟ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, " ମୁଁ ତାଙ୍କ ନାମକୁ ଏବେ ଖୁଲାସା କରିବାକୁ ଚାହୁଁ ନାହିଁ, କାରଣ ମୁଁ ଯଦି ଏମିତି କରୁଛି, ସେ ମିଡିଆରେ ଆକର୍ଷଣ କେନ୍ଦ୍ର ପାଲଟି ଯିବେ । ଫଳରେ ତାଙ୍କୁ ଅଯଥା ଅସୁବିଧାର ସମ୍ମୁଖୀନ ହେବେ । ମାତ୍ର ଉଚିତ୍ ସମୟରେ ମୁଁ ଆମ ସମ୍ପର୍କ ବିଷୟରେ ସମ୍ପୂର୍ଣ୍ଣ ରୂପେ ଖୁଲାସା କରିବି ।"