ହାଇଦ୍ରାବାଦ: ଆଜି ଜାତୀୟ କ୍ରୀଡା ଦିବସ । ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଏହି ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଏ । ବିଶ୍ବରେ ହକି ଯାଦୁଗର ନାଁରେ ସୁନାମ ଅର୍ଜନ କରିଥିବା 'ମେଜର ଧ୍ୟାନଚାନ୍ଦ ସିଂ'ଙ୍କୁ କିଏ ବା ନା ଜଣେ ।
ଏହି ମହାନ୍ ହକି ଖେଳାଳୀଙ୍କ ନେତୃତ୍ବରେ ଭାରତ ୧୯୨୮, ୧୯୩୪ ଓ ୧୯୩୬ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଆଣିଥିଲା । ଧ୍ୟାନଚାନ୍ଦ ବ୍ୟକ୍ତିଗତ ଭାବରେ ତାଙ୍କର ୧୨ ବର୍ଷ କ୍ୟାରିୟରରେ ୪୦୦ଟି ଗୋଲ ଦେଇଥିଲେ ।
ତାଙ୍କର ଜନ୍ମରୁ ନାଁ ଥିଲା ଧ୍ୟାନ ସିଂ । ସେ ଚନ୍ଦ୍ରଙ୍କ ଆଲୁଅରେ ନିଜର ଖେଳ ଅଭ୍ୟାସ କରୁଥିଲେ । କାରଣ ସେତେବେଳେ ଫ୍ଲଡ୍ ଲାଇଟ୍ର ସୁବିଧା ନଥିଲା । ତେଣୁ ତାଙ୍କର ବନ୍ଧୁ ତାଙ୍କୁ ଧ୍ୟାନଚାନ୍ଦ ବୋଲି ସମ୍ବୋଧିତ କରିଥିଲେ । ଏହା ପର ଠାରୁ ସେ ଧ୍ୟାନଚାନ୍ଦ ନାଁରେ ଲୋକପ୍ରିୟ ହାସଲ କରିଥିଲେ ।
ଭାରତର ଏହି କିମ୍ବଦନ୍ତୀ ଖେଳାଳି ୧୯୨୬ରୁ ୧୯୪୮ ମଧ୍ୟରେ ଭାରତୀୟ ହକି ଟିମର ଆଇକନ ଖେଳାଳି ଥିଲେ । ତାଙ୍କ ହକି ଷ୍ଟିକ ଉପରେ ସାରା ବିଶ୍ବର ଖେଳପ୍ରେମୀ ଓ ଖେଳାଳିଙ୍କ ନଜର ଥିଲା । ଏପରିକି ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲର ମଧ୍ୟ ଏକଦା ଖେଳ ମଝିରେ ତାଙ୍କ ହକି ଷ୍ଟିକ ବ୍ୟାନ କରିଥିଲେ । ହିଟଲରଙ୍କୁ ଲାଗିଥିଲା ଧ୍ୟାନଚାନ୍ଦ ନିଜ ଷ୍ଟିକରେ କିଛି ସାମଗ୍ରୀ ଲଗାଇ ଖେଳୁଛନ୍ତି । ମାତ୍ର ଷ୍ଟିକ ପରିବର୍ତ୍ତନ ପରେ ମଧ୍ୟ ଧ୍ୟାନଚାନ୍ଦଙ୍କ ଯାଦୁ ଅଟକାଇପାରିନଥିଲା । ପରବର୍ତ୍ତୀ ସମୟରେ ନିଜେ ହିଟଲର ହିଁ ଧ୍ୟାନଚାନ୍ଦଙ୍କୁ ପ୍ରଶଂସା ଓ ସମ୍ମାନିତ କରିଥିଲେ ।