ଟୋକିଓ: ଚଳିତ ଟୋକିଓ ଅଲମ୍ପିକରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ । ପ୍ରଥମ ଥର ଅଲମ୍ପିକ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ମହିଳା ଟିମ୍ । ସୋମବାର ଅଷ୍ଟ୍ରେଲିଆ ବିପକ୍ଷରେ ରାନୀ ରାମ ରାମପାଲଙ୍କ ନେତୃତ୍ବରେ ଭାରତୀୟ ମହିଳା ଟିମର କ୍ବାର୍ଟର ମୁକାବିଲା ରହିଛି । ଏହି ମ୍ୟାଚରେ ବିନା କୌଣସି ଚାପରେ ଖେଳିବ ଭାରତୀୟ ଟିମ । କାରଣ ଅଲମ୍ପିକର ନକଆଉଟ ପର୍ଯ୍ୟାୟରେ ପ୍ରଥମ ଥର ପାଇଁ ପହଞ୍ଚି ଇତିହାସ ରଚିସାରିଛି ଟିମ ।
ଟୋକିଓ ଅଲମ୍ପିକ ହକିର ଗ୍ରୁପ ପର୍ଯ୍ୟାୟରେ ଦୁଇଟି ବିଜୟ ଓ ତିନୋଟି ପରାଜୟ ସହ କ୍ବାର୍ଟର ଟିକେଟ ହାତେଇଛି ଭାରତ । ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲ୍ରେ ହରାଇବା ପରେ କ୍ବାର୍ଟର ପ୍ରବେଶ ପାଇଁ ଗ୍ରେଟ ବ୍ରିଟେନ ଓ ଆୟରଲାଣ୍ଡ ବିପକ୍ଷ ମ୍ୟାଚର ଫଳାଫଳକୁ ଅପେକ୍ଷା କରିଥିଲା ଟିମ । ଗ୍ରୁପ ପର୍ଯ୍ୟାୟରେ ଦୁଇଟି ଲେଖାଏଁ ବିଜୟ ସହ ଆୟରଲାଣ୍ଡ ଓ ଭାରତର ପଏଣ୍ଟ ସମାନ ରହିଥିଲା । ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚରେ ଆୟରଲାଣ୍ଡର ବିଜୟ ଭାରତର କ୍ବାର୍ଟର ଆଶାକୁ ଶେଷକରିବାର ସମସ୍ତ ସମ୍ଭାବନା ଥିଲା । ମାତ୍ର ଗ୍ରେଟ ବ୍ରିଟେନ ୨-୦ ଗୋଲ୍ରେ ଆୟରଲାଣ୍ଡକୁ ହରାଇବା ପରେ ଭାରତର କ୍ବାର୍ଟର ରାସ୍ତା ପରିସ୍କାର ହୋଇଥିଲା ଓ ଭାରତୀୟ କ୍ୟାମ୍ପରେ ଖୁସିରେ ଲହରୀ ଖେଳିଯାଇଥିଲା ।
ତେବେ ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ବପୂର୍ଣ୍ଣ କ୍ବାର୍ଟର-ଫାଇନାଲ ମୁକାବିଲା ପୂର୍ବରୁ ମୁଖ୍ୟ କୋଚ୍ ଜୋର୍ଡ ମାରିଜିନ କହିଛନ୍ତି, "ଲକ୍ଷ୍ୟ ହାସଲ ହୋଇଛି, କ୍ବାର୍ଟରରେ ହାରିବାକୁ ଟିମ ପାଖେ କିଛି ନାହିଁ , ବିନା ଚାପରେ ନିର୍ଭୟ ହୋଇ ଖେଳିବ ଭାରତ । ଯଦି ମ୍ୟାଚ ଆରମ୍ଭରୁ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସମର୍ଥ ହୋଇଯା'ନ୍ତି, ତେବେ ଫଳାଫଳ କିଛି ବି ହୋଇପାରେ ।" ବିଶ୍ବ ମାନ୍ୟତାର ଦ୍ବିତୀୟ ସ୍ଥାନରେ ନେଦରାଲାଣ୍ଡ ପଛକୁ ରହିଛି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମ । ପୁଏଲ ବି'ରେ ଥିବା କଙ୍ଗାରୁ ଟିମ ଗ୍ରୁପ ପର୍ଯ୍ୟାୟର ସମସ୍ତ ମ୍ୟାଚରେ ବିଜୟ ସହ ଶୀର୍ଷରେ ରହିଥିଲା ।